
ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ “ବ୍ୟାସଭବନ” ପରିସରରେ ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୂଲ୍ୟରେ ୨୮ ତମ ବାର୍ଷିକ ଉତ୍ସବ, ଫକୀର ମୋହନ ସେନାପତିଙ୍କ ୧୮୪ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ମୁଖ୍ୟବକ୍ତା ଭାବେ ସତ୍ୟଶିବ ଦାସ, ଅନ୍ୟତମ ବକ୍ତା ଭାବେ ଚିନ୍ମୟ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ଯୋଗଦେଇ ଫକୀର ମୋହନଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଦମୟନ୍ତୀ ବେହେରା ସ୍ୱାଗତ ଭାଷଣ, ଲୋପାମୁଦ୍ରା ଦାସ ଅତିଥି ପରିଚୟ, ସାଂସ୍କୃତିକ ସମ୍ପାଦକ ବିଜୟ କୁମାର ପ୍ରଧାନ ଓ ସାଥୀ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ । ସଭାପତି ବନବିହାରୀ ରଣା ଉତ୍ସବରେ ସଭାପତିତ୍ୱ କରିବା ସହ ଅନୁଷ୍ଠାନର ମୂଳ ଲକ୍ଷ୍ୟ, ଗଠନ, ଜମି ଅଧିଗ୍ରହଣ ଉପରେ ବକ୍ତବ୍ୟ ରଖିଥିଲା ବେଳେ ସାଧାରଣ ସମ୍ପାଦକ କମଳାକାନ୍ତ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ସୁବର୍ଣ୍ଣରେଖା ସାମାଜିକ ସଙ୍ଗଠନ ହିସାବରେ ରାଉରକେଲା ପ୍ରତି ହେଉଥିବା ବାଧା ପାଇଁ ଏକ ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ କରି ନିଜର ମତ ମନ୍ତବ୍ୟ ରଖୁ ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ସୁବର୍ଣ୍ଣରେଖା ସାହିତ୍ୟ ଓ ସାମାଜିକ କାର୍ଯ୍ୟ ପାଇଁ କରୁଥିବା କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ । ଅନ୍ୟତମ ବକ୍ତା ଶ୍ରୀମତୀ ଶତପଥୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଫକୀର ମୋହନ ଚିର ବିପ୍ଳବୀ ଥିଲେ । ଇଂରେଜ ଶାସନ ସମୟରେ ଏକଦା ବୁଡି ଯାଉଥିବା ଶିକ୍ଷା ପଦ୍ଧତି, ସଂସ୍କାର, ଶିଳ୍ପ, ବ୍ୟବସାୟର ଉନ୍ନତି ପାଇଁ ଯଥାରୀତି ସଂସ୍କାର ଆଣିବା ପାଇଁ ଅଗ୍ରଣୀ ଭୂମିକା ନେଇଥିଲେ । ମୁଖ୍ୟବକ୍ତା ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଫକୀର ମୋହନ ଜଣେ ବିଚକ୍ଷଣ ଦୂରଦ୍ରଷ୍ଟା ହିସାବରେ ଭଣ୍ଡ ବାବା, ଶାସକ-ଶୋଷିତ, ଇଂରାଜୀ ଶିକ୍ଷାର କୁପରିଣାମ ବାବଦକୁ ଶତାବ୍ଦୀ ପୂର୍ବରୁ ଲେଖନୀ ଚାଳନା କରି ସମାଜକୁ ନିର୍ଭୁଲ ବାର୍ତ୍ତା ଦେଇ ସାରିଥିଲେ ଧୂଳିଆ ବାବା, ଛ’ ମାଣ ଆଠଗୁଣ୍ଠ, ଡାକ ମୁନସୀ ମାଧ୍ୟମରେ । ଆଜିର ବେଟି ପଢାଅ, ବେଟି ବଞ୍ଚାଓ ଅଭିଯାନ – ଫକିରମୋହନ ଶହେ ବର୍ଷ ପୂର୍ବରୁ “ରେବତୀ” ମାଧ୍ୟମରେ ଦେଇ ସାରିଛନ୍ତି । ତାଙ୍କର କାଳଜୟୀ ରଚନା ସବୁକୁ ଯେମିତି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ମିଳିବା କଥା ମିଳିନାହିଁ । ଏ ସବୁ ଦିଗ ଉପରେ ସମସ୍ତେ ଆଗଭର ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଚଳିତ ବର୍ଷ ମନୋରଞ୍ଜନ ଦାସ ଓ ଅନୀଲ କୁମାର ଦାଶଙ୍କୁ “ସୁବର୍ଣ୍ଣରେଖା ସମ୍ମାନ – ୨୦୨୬”, ପ୍ରଶାନ୍ତ କୁମାର ଜେନାଙ୍କୁ ସୁବର୍ଣ୍ଣରେଖା ସହଯୋଗୀ ସମ୍ମାନ -୨୦୨୬”ରେ ସମ୍ମାନିତ କରାଯାଇଥିଲା । ମହିଳା ସମ୍ପାଦିକା ଆଇନଜୀବୀ ଗୀତାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ମୌସୁମୀ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ ଉପସଭାପତି ନିତ୍ୟାନନ୍ଦ ବେହେରା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ରୂପରେଖ ସହ ସଞ୍ଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନନ୍ଦିନୀ ମହିଳା ସଂହତି ଓ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।