om academy

ସରକାର ଜମାକାରୀଙ୍କୁ ପ୍ରତିଶୃତି ମୁତାବକ ଜମାଟଙ୍କା ଫେରାନ୍ତୁ, ନଚେତ ପରିଣାମ ଭୋଗିବେ – ଜମାକାରୀ ମିଳିତ ମଂଚ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥାରେ ଟଙ୍କା ସଞ୍ଚୟ କରି ଠକାମୀର ଶିକାର ହୋଇଥିବା ହଜାର ହଜାର କ୍ଷତିଗ୍ରସ୍ତ ଜମାକାରୀ ଦେଓଗାଁ ତହସିଲ ସ୍ତରରେ ଜମାକାରୀ ଗଣ ସତ୍ୟାଗ୍ରହରେ ସାମିଲ ହୋଇ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ମୁତାବକ ଜମାଟଙ୍କା ଫେରସ୍ତ ଦିଅନ୍ତୁ, ନଚେତ ରାଜ୍ୟବ୍ୟାପି ଜମାକାରୀ ଆନ୍ଦୋଳନର ପରିଣାମ ଭୋଗିବେ ବୋଲି ଚେତାବନୀ ଦେଇଛନ୍ତି । ଦେଓଗାଁ ବଜାର ଠାରୁ ତହସିଲ ପର୍ଯ୍ୟନ୍ତ ଏକ ବିଶାଳ ଓ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଯାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଉପସଭାପତି ବିଭୁଦତ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜମାକାରୀ ଗଣଙ୍କ ସତ୍ୟାଗ୍ରହର ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ମଞ୍ଚର ସଭାପତି ଜୟନ୍ତ ଦାସ, ସମ୍ପାଦକ ମଧୁସୁଦନ ବିଶ୍ୱାଳ, ରାଜ୍ୟ କର୍ମକର୍ତ୍ତା ମଣ୍ଡଳୀ ସଦସ୍ୟା ଅନୁରାଧା ସୁବୁଦ୍ଧି, ବଲାଙ୍ଗିର ଜିଲ୍ଲା ସଂପାଦକ ଲଳିତ ଦିପ, ଦେଓଗାଁ ତହସିଲ କମିଟି ସଭାପତି ସୁରଥ ଧରୁଆ, ମଦନ ମୋହନ ଡାଙ୍ଗ, ଶଙ୍କର୍ଷଣ ମହାପାତ୍ର, ଶିବ ପ୍ରସାଦ ମେହେର, ପୃଥ୍ୱୀରାଜ ସିଂ ବାଗ, ଶ୍ରମିକ ନେତା କୃଷ୍ଣଚନ୍ଦ୍ର ସାହୁ, ଡା. ଶଶୀ ଭୂଷଣ ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇ ସରକାରଙ୍କ ପୃଷ୍ଠପୋଷକତାରେ ଅସାଧୁ କମ୍ପାନୀମାନେ ଜମାକାରୀଙ୍କୁ ପ୍ରଲୋଭିତ କରି ସ୍ୱଳ୍ପ ଦିନରେ ଅଧିକ ସୁଧ ଦେବାର ପ୍ରତିଶୃତି ଦେଇ ଜମାଟଙ୍କା ନେଇ ପରିପକ୍ୱ ରାଶି ନ ଫେରାଇ ଜମାକାରୀଙ୍କୁ ଠକିଥିଲେ । ଗଣମାଧ୍ୟମରେ ଏହି ଠକାମୀ ବିଷୟ ଲୋକ ଲୋଚନକୁ ଆଣିବାକୁ ଜମାକାରୀ ଆନ୍ଦୋଳନ ହେଲା ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ଜମାକାରୀଙ୍କୁ ପ୍ରତିଶୃତି ଦେଇ କହିଥିଲେ ଯେ, ସରକାର ସମସ୍ତ ଜମାକାରୀଙ୍କୁ ତାଙ୍କ ଜମାଟଙ୍କା ଫେରସ୍ତ କରାଇବେ । ଇତି ମଧ୍ୟରେ ୮ ବର୍ଷ ବିତି ଯାଇଥିଲେ ବି ସରକାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଖର୍ଚ୍ଚାନ୍ତ କରାଇ ତଦନ୍ତ କମିଶନ ଦ୍ୱାରା ଆହ୍ୱାନ କରିଥିବା ସତ୍ୟପାଠର ଅଳ୍ପ କିଛି ଯାଞ୍ଚ ପରେ ତଦନ୍ତ କମିଶନ ଉଚ୍ଛେଦ କରି ସତ୍ୟପାଠ ସବୁ ଗୋଦାମ ଘରେ ନଷ୍ଟ କଲେ ବୋଲି ଅଭିଯୋଗ ହେଉଛି। ଏହି ସତ୍ୟପାଠ ବାବଦରେ ସରକାର ତିନି କୋଟି ଅଧିକ ଟଙ୍କାର ରାଜସ୍ୱ ନେଇଥିଲେ ବି ସରକାର ସମସ୍ତ ଜମାକାରୀଙ୍କୁ ଚିହ୍ନଟ କଲେ ନାହିଁ, ଜମା ଟଙ୍କା ଫେରସ୍ତ ମଧ୍ୟ କଲେ ନାହିଁ ବୋଲି ଅଭିଯୋଗ ହେଉଛି । ତଦନ୍ତ କମିଶନ ଓ ସ୍ୱତନ୍ତ୍ର ଅଦାଲତ ଯେଉଁ ଜମାକାରୀଙ୍କୁ ଟଙ୍କା ଫେରସ୍ତ ସୁପାରିଶ କରିଥିଲେ ସେମାନଙ୍କ ପ୍ରମାଣ ମଧ୍ୟ ତହସିଲ ଜରିଆରେ ଯାଞ୍ଚ କରାଯାଇଛି । ତଦନ୍ତ କମିଶନ ସମାପ୍ତ ହୋଇଥିବାରୁ କ୍ଷତିଗ୍ରସ୍ତ ଜମାକାରୀଙ୍କ ପ୍ରମାଣ ଗୋଦାମ ଘରେ ନଷ୍ଟ କରିଥିବାରୁ ଆଉ ବିଭିନ୍ନ ବାହାନା ନ କରି ତହସିଲ ଜରିଆରେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ସହ ତାଙ୍କ ପ୍ରମାଣ ଯାଞ୍ଚ କରି ସରକାର ସମସ୍ତ ଜମାକାରୀଙ୍କୁ ତାଙ୍କ ଜମା ଟଙ୍କା ଫେରସ୍ତ କରନ୍ତୁ । ଏହି ମଞ୍ଚ ରାଜନୀତି ପାଇଁ ଉଦ୍ଦିଷ୍ଟ ନୁହେଁ, ସମସ୍ତ ରାଜନୈତିକ ଦଳ ଏହି ଆନ୍ଦୋଳନକୁ ଅତିତରେ ସମର୍ଥନ ଦେଇଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଯିଏ ୱାର୍ଡ ସଦସ୍ୟ, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟ ପଦରେ ପ୍ରତିଦ୍ୱନ୍ଦିତା କରିବେ ସେମାନେ ପ୍ରତ୍ୟେକ ସରକାରଙ୍କ ଏତାଦୃଶ ନିନ୍ଦା କରିବେ, ଶେଷ ଜମାକାରୀ ଜମା ଟଙ୍କା ଫେରସ୍ତ ପାଇବା ପର୍ଯ୍ୟନ୍ତ ଜମାକାରୀ ଆନ୍ଦୋଳନକୁ ସାହାଯ୍ୟ ଓ ସହଯୋଗ କରିବାର ଲିଖିତ ପ୍ରତିଶୃତି ଦେଲେ ହି ପ୍ରଚାର କରିବେ ଅଥବାବା ଗାଁରେ ପ୍ରଚାର ବେଳେ ଜମାଟଙ୍କା ସଂପୃକ୍ତ ପ୍ରାର୍ଥୀଙ୍କୁ ମଗାଯିବ, ଯିଏ ନ ଦେବେ ତାଙ୍କ ବିରୁଦ୍ଧରେ ପ୍ରଚାର କରାଯିବାର ଚେତାବନୀ ଦେଇଥିଲେ । ଏଥିରେ ଉତ୍ପନ୍ନ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ବକ୍ତାମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.