ommm
jittmm

ସୁବର୍ଣ୍ଣପୁରରେ “ପରାକ୍ରମ ଶୋଭାଯାତ୍ରା” ଜାଗ୍ରତ ଦେଶ ପ୍ରେମୀ ମହିଳାମାନଙ୍କ ଅଭିନବ ଉଦ୍ୟମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ଜାଗ୍ରତ ରାଷ୍ଟ୍ରବାଦୀ ମହିଳାମାନଙ୍କ ଉଦ୍ୟମରେ ଆଜି ସକାଳ ୮ଟାରୁ ଏକ ଭବ୍ୟ “ପରାକ୍ରମ ଶୋଭାଯାତ୍ରା” ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ଅପରେସନ ସିନ୍ଦୁରର ଶୌର୍ଯ୍ୟ, ସେନାଶକ୍ତି ଓ ପ୍ରଜାଶକ୍ତିର ଗୌରବକୁ ଉଜାଗର କରିଥିଲା । ଶୋଭାଯାତ୍ରା ସୁରେଶ୍ଵରୀ ମନ୍ଦିରଠାରୁ ଆରମ୍ଭ ହୋଇ ବିଜୁପଟ୍ଟନାୟକ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଓ ସୋନପୁର ସହରର ବହୁ ସଂଖ୍ୟକ ମହିଳା, ମା, ଭଉଣୀ ଓ ସମ୍ମାନୀତ ଅତିଥିମାନେ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଉପଜିଲ୍ଲାପାଳ ସ୍ୟୋମ୍ୟାରୂପା ରଥ, ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବର୍ଗ । ତତସହ ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ସାମାଜିକ, ସାଂସ୍କୃତିକ ତଥା ସେବା ସଂଗଠନର ଶହ ଶହ ମାଁ, ଭଉଣୀ ଅଂଶଗ୍ରହଣ କରି ଦେଶପ୍ରେମ ଓ ସେନାଶକ୍ତି ପ୍ରତି ସମର୍ଥନ ପ୍ରକାଶ କରିଥିଲେ ।
ଶୋଭାଯାତ୍ରା ପରେ ମହିଳା ସମନ୍ୱୟ ସମିତି ତରଫରୁ ବିଜୁ ପଟ୍ଟନାୟକ ଛକ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଯାହାର ସଂଯୋଜନା କରିଥିଲେ ଶ୍ରଦ୍ଧାଞ୍ଜଳୀ ମହାପାତ୍ର । ସଭାରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ତଥା ବରଗଡ଼ରୁ ଆସିଥିବା ମୁଖ୍ୟବକ୍ତା ସୁଶ୍ରୀ ଜୟଶ୍ରୀ ମହାପାତ୍ର, ଅଧିବକ୍ତା ପ୍ରାନ୍ତ ମହିଳା ସମନ୍ୱୟର ସହ ସଂଯୋଜିକା ଓ ଅନ୍ୟମାନେ ଦେଶର ସୁରକ୍ଷା ଓ ପରାକାଷ୍ଠା ଉପରେ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ଆରତୀ ଖମାରୀ, ସ୍ମିତାରାଣୀ ମେହେର, ନିରୂପମା ପରଧିଆ, ସୁନନ୍ଦା ସାହୁ, ଶ୍ରଦ୍ଧାଞ୍ଜଳୀ ମିଶ୍ର, ସରୀତା ସାହୁ, ପୁଷ୍ପାଞ୍ଜଳୀ ମଲ୍ଲିକ, ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ, ପୂର୍ଣ୍ଣିମା ଓ ଲକ୍ଷ୍ମୀ ଭଉଣୀ ତଥା ଅନେକ ମହିଳା କାର୍ଯ୍ୟକର୍ତ୍ତାଙ୍କ ଅଭିନବ ଅଭିଯାନ ଜଣସାଧାରଣଙ୍କ ଭିତରେ ଦେଶପ୍ରେମ ଓ ଜାଗୃତି ଉନ୍ମେଷ କରିଥିଲା । ଏହି ଅବସରରେ ପର୍ଯ୍ୟଟନରେ ଯାଇ ବଳିଦାନ ହୋଇଥିବା ଅମର ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଜଣାଇବା ସହ ଦେଶପ୍ରତି କୃତଜ୍ଞତା ପ୍ରକାଶ କରାଯାଇଥିଲା । ଜିଲ୍ଲା ମାରୱାଡ଼ି ଯୁବାମଞ୍ଚ ଓ ଟ୍ରକ ଆସୋସିଏସନ୍ ତରଫରୁ ସମସ୍ତ ସହଭାଗୀ ଓ ସାଧାରଣ ଲୋକମାନଙ୍କୁ ଥଣ୍ଡାପାନୀୟ ବିତରଣର ବ୍ୟବସ୍ଥା ହୋଇଥିଲା । ସୋନପୁର ଜନସାଧାରଣ, ପ୍ରଶାସନ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ବିପୁଳ ସମର୍ଥନ ଓ ଅନୁଶାସନାତ୍ମକ ଅଭିଗମରେ ଏହି ପରାକ୍ରମ ଶୋଭାଯାତ୍ରା ବେଶ ସଫଳ ଓ ସଂଗଠିତ ହୋଇପାରିଥିବାରୁ ଆୟୋଜକଙ୍କ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.