jayashree

ବରଗଡ଼ରେ ୪୫ ହଜାର ଟଙ୍କାର ନକଲି ନୋଟ ଜବତ

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ସହରରେ ନକଲି ନୋଟ କାରବାରକୁ ନେଇ ଚାଞ୍ଚଲ୍ୟ । ଜଣେ ନାବାଳକଙ୍କ ଠାରୁ ପ୍ରାୟ ୪୫ ହଜାର ଟଙ୍କାର ନକଲି ନୋଟ ମିଳିଥିବା ଜଣାପଡ଼ିଛି । ଘଟଣାରେ ବରଗଡ଼ ଟାଉନ ଥାନା ପୋଲିସ ଜଣେ ନାବାଳକଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି । ସୂଚନା ଅନୁସାରେ, ବରଗଡ଼ ସହରର ସ୍ୱାଗତ ସାହୁ ନିଜ ଓଏଲ୍‌ଏ ସ୍କୁଟି ବିକ୍ରି ପାଇଁ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇଥିଲେ । ବିଜ୍ଞାପନ ଦେଖି ଜଣେ ବ୍ୟକ୍ତି ସ୍କୁଟି କିଣିବାକୁ ଆସିଥିଲେ । ପ୍ରାୟ ୪୫ ହଜାର ଟଙ୍କାରେ ସ୍କୁଟି କିଣାବିକାର ଡିଲ୍ ମଧ୍ୟ ଚୂଡ଼ାନ୍ତ ହୋଇଥିଲା । ତେବେ ଟଙ୍କା ଗଣିବା ସମୟରେ ନୋଟଗୁଡ଼ିକ ନକଲି ହୋଇଥିବା ସନ୍ଦେହ ହୋଇଥିଲା । ଏହାପରେ ସ୍ୱାଗତ ପ୍ରଥମେ ବ୍ୟାଙ୍କରେ ନୋଟ ଯାଞ୍ଚ କରାଇଥିଲେ । ନକଲି ନୋଟ ନେଇ ସନ୍ଦେହ ସ୍ପଷ୍ଟ ହେବା ପରେ ସେ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଜଣେ ନାବାଳକଙ୍କୁ ଅଟକ ରଖିଛି । ଜବତ ନକଲି ନୋଟ ମଧ୍ୟରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ ରହିଥିବା ଜଣାପଡ଼ିଛି । ତେବେ ଏହି ନକଲି ନୋଟ କେଉଁଠାରୁ ଆସିଲା ? ଏହା ପଛରେ ଆଉ କାହାର ସଂପୃକ୍ତି ରହିଛି କି ? ନକଲି ନୋଟ କାରବାରର କୌଣସି ବଡ଼ ନେଟୱର୍କ ରହିଛି କି ? ଏସବୁ ଦିଗକୁ ନେଇ ବରଗଡ଼ ଟାଉନ ଥାନା ପୋଲିସ ଅଧିକ ତଦନ୍ତ ଚଲାଇଛି ।

Leave A Reply

Your email address will not be published.