
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ ଅନ୍ତର୍ଗତ ଗ୍ରାଜୁଏଟପଡ଼ା ଗଣେଶ ପୂଜା କମିଟି ପକ୍ଷରୁ ଗତ ଶୁକ୍ରବାର ଦିନ ପବିତ୍ର ନୂଆଁଖାଇ ଅବସରରେ ଏକ ଭେଟଘାଟ କାର୍ଯ୍ୟକ୍ରମ ଆନନ୍ଦ, ଉତ୍ସାହ ଓ ଭାଇଚାରାର ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି । ନୂଆଁଖାଇର ମହାନ ପରମ୍ପରା, ସାମାଜିକ ସୌହାର୍ଦ୍ଧ୍ୟ ଓ ଆତ୍ମୀୟତାର ବାର୍ତ୍ତାକୁ ଉଜ୍ଜୀବିତ କରିଥିବା ଏହି ଭେଟଘାଟ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ନିଆରା ଉତ୍ସବର ଅନୁଭୂତି ସୃଷ୍ଟି କରିଥିଲା । ପୂଜା କମିଟିର ସଭାପତି ଜନ୍ମେଜୟ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭେଟଘାଟ କାର୍ଯ୍ୟକ୍ରମକୁ ଆନନ୍ଦ ବେହେରା ସଂଚାଳନ କରିଥିଲେ । ଏହି ଅବସରରେ ସମାଜରେ ଦୀର୍ଘଦିନ ଧରି ନିଜର ଉଲ୍ଲେଖନୀୟ ଅବଦାନ, ସେବା ଓ ପ୍ରଭାବ ମାଧ୍ୟମରେ ଏକ ସ୍ୱତନ୍ତ୍ର ପରିଚୟ ଓ ସମ୍ମାନ ଅର୍ଜନ କରିଥିବା ବରିଷ୍ଠ ବ୍ୟକ୍ତିଙ୍କ ମଧ୍ୟରେ କୈଳାସ ଚନ୍ଦ୍ର ବେହେରା, ବେଣୀମାଧବ ହୋତା, ଘନଶ୍ୟାମ ବାରିକ, ବସନ୍ତ ସାହୁ, ବୀରେନ୍ଦ୍ର ପାଣିଗ୍ରାହୀ, ତ୍ରିଲୋଚନ ସାହୁ, ବିଭୂତି ଭୂଷଣ ବେହେରା ଓ ଜଗବନ୍ଧୁ ସାହୁଙ୍କୁ ପୂଜା କମିଟି ପକ୍ଷରୁ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଭେଟଘାଟ କାର୍ଯ୍ରକ୍ରମକୁ ଆହୁରି ରଙ୍ଗାରଙ୍ଗ ଓ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଜରାସିଂହାର ମୋତିଲାଲ ମେହେରଙ୍କ ପରିଚାଳନାରେ ଅଞ୍ଚଳର ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପୂଜା କମିଟି ପକ୍ଷରୁ ନଗଦ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇ ସେମାନଙ୍କ ପ୍ରତିଭାକୁ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଗ୍ରାଜୁଏଟପଡ଼ା ଗଣେଶ ପୂଜା କମିଟିର ସମୀର ସାହୁ, ସଞ୍ଜୟ ସାହୁ, ଜୀବାନନ୍ଦ କର୍ତ୍ତୀ, ସୁଶାନ୍ତ ସାହୁ, ଆକାଶ ଦାସ, ପୂର୍ଣ୍ଣ ସାହୁ, ଶିବା ପାଣିଗ୍ରାହୀ, ଝସକେତନ ବାରିକ, କମନ ବାରିକ, ବିବେକ କର୍ତ୍ତୀ ଓ ପ୍ରକାଶ କର୍ତ୍ତୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରି ଉପସ୍ଥିତ ଅତିଥି, ସମ୍ମାନିତ ବ୍ୟକ୍ତି ବିଶେଷ, କଳାକାର, ଅଭିଭାବକ ଓ ସମସ୍ତ ସହଯୋଗୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ।