ନରସିଂହଙ୍କ ଅନୁରୋଧ କ୍ରମେ ଆଉ ୧୦ଟି କରୋନା ଆଇ.ସି.ୟୁ. ବେଡ୍‌ ପାଇଲା ମଞ୍ଜୁରୀ

ଭୀମଭୋଇ ମେଡିକାଲରେ କରୋନା ଆଇ.ସି.ୟୁ. ସଂଖ୍ୟା ପହଂଚିଲା
ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ମହାମାରୀର କାୟା କମିବା ପରିବର୍ତ୍ତେ ହୁତ୍‌ ହୁତ୍‌ ହୋଇ ବଢିଚାଲିଛି । ଜନସଂଖ୍ୟାକୁ ଆଖି ଆଗରେ ରଖିଲେ, ବଲାଙ୍ଗିର ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ହୋଇଥିବାରୁ ଏହା ବିଶେଷ ଚିନ୍ତାଜନକ ବିଷୟ । ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜରେ କରୋନା ସଂକ୍ରମଣ ମୁକାବିଲା ପାଇଁ କେବଳ ୧୦ଟି ଆଇସିୟୁ ବେଡ୍‌ ଥିବାରୁ ସଂକଟାପର୍ଣ୍ଣ ଅବସ୍ଥାରେ ଥିବା କରୋନା ରୋଗୀଙ୍କୁ ଠିକ୍‌ ହିସାବରେ ଚିକିତ୍ସା ଉପଲବ୍ଧ ହୋଇ ପାରୁନଥିଲା । ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଜିଲ୍ଲାପାଳଙ୍କୁ ଆଉ ୧୦ଟି ଆସିୟୁ ବେଡ୍‌ ମଞ୍ଜୁରୀ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିବାକୁ କହିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାରେ ସଂକଟାପନ୍ନ ଅବସ୍ଥାରେ ଥିବା କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଶ୍ରୀ ମିଶ୍ର ପୁଣିଥରେ ସ୍ୱାସ୍ଥ୍ୟ ସଚିବଙ୍କ ସହ ଟେଲିଫୋନ ଯୋଗେ ଆଉ ୧୦ଟି ଆସିୟୁ ବେଡ୍‌ ବଢାଇବା ପାଇଁ କହିଥିଲେ । ଯାହାକି ଆଜି ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ମଞ୍ଜୁର ହୋଇଯାଇଛି । ଭୀମଭୋଇ ମେଡିକାଲ କଲେଜରେ ପୂର୍ବରୁ ୧୦ଟି ଆଇସିୟୁ ଥିବା ବେଳେ ବର୍ତ୍ତମାନ ଆଉ ୧୦ଟି ଆଇସିୟୁ ବେଡ୍‌ ମିଶି ଏହାର ସଂଖ୍ୟା ୨୦ରେ ପହଂଚିଛି । ବର୍ତ୍ତମାନ ପରିସ୍ଥିତିରେ ସଂକଟାପନ୍ନ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଏହା ନିଶ୍ଚିତ ପକ୍ଷେ କରୋନା ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳିବ ବୋଲି ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଏହି କିଛି ଦିନ ହେଲା ବଲାଙ୍ଗିର ସହରର ପ୍ରତ୍ୟେକ ଦିନ କିଛି କରୋନା ରୋଗୀ ସଂକଟାପନ୍ନ ଅବସ୍ଥାକୁ ଯାଉଛନ୍ତି ଏବଂ ସେଥିରୁ କିଛି ମୃତ୍ୟୁମୁଖରେ ପଡୁଥିବାର ମଧ୍ୟ ଖବର ଆସୁଛି । ନୂତନ ଭାବେ ମଞ୍ଜୁରୀ ପାଇଥିବା ଅତିରିକ୍ତ ୧୦ଟି ବେଡ୍‌ କରୋନା ରୋଗୀଙ୍କ ସେବାରେ ଠିକ୍‌ରେ କାମରେ ଆସିବ ବୋଲି ଆଶା କରାଯାଏ ।

Leave A Reply

Your email address will not be published.