ସଲଡିହ ଡଙ୍ଗରପଡାରେ ବିଜୁଳି ସଂଯୋଗ ହୋଇ ପାରିଲା ନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ସଲଡିହ ଗ୍ରାମ ଡଙ୍ଗରପଡା ଠାରେ ଆଜି ପର୍ୟ୍ୟନ୍ତ ବିଜୁଳି ସଂଯୋଗ ହୋଇ ପାରିଲା ନାହିଁ । ସୂଚନା ଯୋଗ୍ୟ ଯେ ସଲଡିହ ଡଙ୍ଗରପଡା ଏକ ଉପାନ୍ତ ଅଞ୍ଚଳ । ଡଙ୍ଗରପଡାରେ ୩ଟି ପରିବାର ବସବାସ କରନ୍ତି, ସଲଡିହ ଗ୍ରାମର କିଛି ଦୂରରେ ଡଙ୍ଗରପଡା ରହିଛି । ଆଜିକୁ ତିନି ବର୍ଷ ପୂର୍ବେ ସେହି ପଡାରେ ବିଜୁଳି ବିଭାଗ ଦ୍ୱାରା ସର୍ଭେ କରାଯାଇ ତାହା ମଞ୍ଜୁର ମଧ୍ୟ ପାଇଥିଲା । ଡ଼ିଡ଼ିୟୁଜିଜେୱାଇ ଯୋଜନା ମାଧ୍ୟମରେ ବିଜୁଳି ଯୋଗାଇ ଦେବା ପାଇଁ ବିଜୁଳି ଖୁଣ୍ଟ, ବିଜୁଳି ତାର ଆଦି ସରଞ୍ଜାମ ସେହି ପଡାଠାରେ ପଡିଥିଲା । ମାତ୍ର ଦୁଃଖର ବିଷୟ, ସେହି ବିଜୁଳି ସରଞ୍ଜାମକୁ ସେଠାରୁ ନିଆଯାଇ ଅନ୍ୟତ୍ର ଟ୍ରାସ୍ସଫର୍ମର ବସାଯାଇଛି । ଫଳରେ ଏହି ଡଙ୍ଗରପଡା ଠାରେ ବିଜୁଳି ସଂଯୋଗ ହୋଇ ପାରୁନାହିଁ । ସରକାର ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପଡାରେ ବିଜୁଳି ଯୋଗାଇ ସବୁ ପଡା ଗ୍ରାମକୁ ଆଲୋକିତ କରିବା ପାଇଁ ଘୋଷଣା କରୁଥିବା ବେଳେ ଡଙ୍ଗରପଡା ନିବାସୀ ଅନ୍ଧକାରରେ ଦିନ କାଟୁଛନ୍ତି । ସେଥିପାଇଁ ସେହି ପଡାର ନିର୍ମଳ ମେହେର, କ୍ଷମାନିଧି ମେହେର, ମୋହନ ମେହେର, ବସୁଦେବ ମେହେର ଓ ପଡାର ଅନ୍ୟାନ୍ୟ ପ୍ରମୁଖ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ବିଜୁଳି ଯୋଗାଇ ଦେବାପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି । ମାତ୍ର ଅଦ୍ୟାବଧି କୌଣସି ଫଳ ମିଳିନାହିଁ । ପ୍ରକାଶ ଥାଉକି, ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହେଉଛି । ବିନା ବିଜୁଳିରେ ଆଧୁନିକ ଯୁଗରେ ଜୀବନ ଧାରଣ କଷ୍ଟକର ହୋଇପଡୁଛି । ଏସବୁ ସମସ୍ୟାକୁ ଦୃଷ୍ଟି ଦେଇ ପ୍ରଶାସନ ଉକ୍ତ ପଡାରେ ବିଜୁଳି ଯୋଗାଇ ଦେବାପାଇଁ ଦାବୀ ହେଉଛି ।

Leave A Reply

Your email address will not be published.