ହେମଗିରିରେ ଖୋଲିଲା ସାର୍ବଜନୀନ ପାଠାଗାର

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : “ସୁନ୍ଦରଗଡ଼ ବହିପଢ଼’ ଅଭିଯାନ ଅଧୀନରେ ହେମଗିରି ବ୍ଲକର କମଲଗାଠାରେ ଏକ ଗ୍ରାମୀଣ ପାଠାଗାର ପ୍ରତିଷ୍ଠା କରାଯାଇଛି । ଏହି ଗ୍ରାମୀଣ ପାଠାଗାରକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ସୋମବାର ଦିନ ଉଦଘାଟନ କରିଛନ୍ତି ।

ଉଦଘାଟନ ବେଳେ ଜିଲ୍ଲାପାଳଙ୍କ ସହିତ ହେମଗିରି ବିଡିଓ ଶ୍ରୀଯୁକ୍ତ ଜଗଦ୍ଦୀଶ ଚନ୍ଦ୍ର ମହାନନ୍ଦ, ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସୁଧାରାଣୀ ରାଉଡିଆ ପ୍ରମୁଖ ଉପସ୍ଥିତ ଥିଲେ । ବହି ପଢ଼ିବା ପ୍ରତି ସ୍ଥାନୀୟ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହି ପାଠାଗାରରେ ବିଭିନ୍ନ ଗପ ଓ ଗୀତ ବହି, କମିକ୍ସ, ବିଶିଷ୍ଟ ଲେଖକ ଲେଖିକାଙ୍କ ଦ୍ୱାରା ଲିଖିତ ବହି ସ୍ଥାନ ପାଇଛି । ଏଠାରେ ବସି ବହି ପଢ଼ିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଅ ।ଗାମୀ ଦିନରେ ଏହି ପାଠାଗାରରେ ଅଧିକରୁ ଅଧିକ ବହି ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ପାଠାଗାରରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ଆସି ବହି ପଢ଼ି ପାରିବେ ।

“ସୁନ୍ଦରଗଡ଼ ବହିପଢ଼’ ଅଭିଯାନରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପବ୍ଲିକ ଲାଇବ୍ରେରୀ ବା ସାର୍ବଜନୀନ ପାଠାଗାର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି ।
ସାଧାରଣ ଲୋକଙ୍କୁ ବହି ପଢ଼ିବା ପ୍ରତି ଉତ୍ସାହିତ କରିବା ପାଇଁ ପାଠାଗାର ବ୍ୟତୀତ ବିଭିନ୍ନ ଅଫିସ୍‌, ପ୍ରତୀକ୍ଷା ହଲ, ବସ୍‌ ଷ୍ଟାଣ୍ଡ ଆଦି ସ୍ଥାନରେ ବହି ରଖିବାର ମଧ୍ୟ ବ୍ୟବସ୍ଥା କରାଯାଉଛି ।

Leave A Reply

Your email address will not be published.