
ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଅନ୍ତର୍ଗତ ରଣମାଲ ମଣ୍ଡିରେ ଧାନ ଉଠାଣରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଚାଷୀମାନେ ମେ’ ୨୦ ତାରିଖରୁ ଟୋକନ୍ ପାଇଥିଲେ ମଧ୍ୟ ଏଠାରେ ଅତି ମନ୍ଥର ଗତିରେ ଧାନକିଣା ଚାଲିଥିବା ଅଭିଯୋଗ ହୋଇଛି । ପ୍ରଶାସନିକ ଉଦାସୀନତା, ମିଲର୍ସଙ୍କ ସହଯୋଗର ଅଭାବ ଏବଂ ମଣ୍ଡିରେ ଦଲାଲ୍ ରାଜ୍କୁ ବିରୋଧ କରି ଶେଷରେ ଚାଷୀମାନେ ଧାରଣାକୁ ଓହ୍ଲାଇଥିଲେ । ଜୁନାଗଡ଼ ବିଧାୟକ ତଥା ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ଏବଂ ପ୍ରତିଶ୍ରୁତି ପରେ ବର୍ତ୍ତମାନ ଆନ୍ଦୋଳନ ସ୍ଥଗିତ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ରଣମାଲ ମଣ୍ଡିରେ ପ୍ରାୟ ୮୦୦ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଛନ୍ତି । ଏଠାରୁ ପ୍ରାୟ ୪୦ ହଜାର କୁଇଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୨୪୦ ଜଣ ଚାଷୀଙ୍କ ଠାରୁ ୧୩ ହଜାର କୁଇଣ୍ଟାଲ ଧାନ ଉଠାଯାଇଛି । ଅନ୍ୟପଟେ, ୧୦ ହଜାର କୁଇଣ୍ଟାଲରୁ ଅଧିକ ଧାନ ଏବେ ବି ମଣ୍ଡି ପ୍ରାଙ୍ଗଣରେ ଖୋଲା ଆକାଶ ତଳେ ପଡ଼ିରହିଛି । ଉକ୍ତ ମଣ୍ଡି ସହିତ ପାଞ୍ଚଗୋଟି ରାଇସ୍ ମିଲ୍ ଟ୍ୟାଗ୍ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨୧ ହଜାର କୁଇଣ୍ଟାଲ୍ ଧାନ ଉଠାଇବାକୁ ଟାର୍ଗେଟ୍ ଥିଲା । ବର୍ତ୍ତମାନ ୮ ହଜାର କୁଇଣ୍ଟାଲର ଟାର୍ଗେଟ୍ ଥିଲେ ମଧ୍ୟ ମଣ୍ଡିକୁ ଆବଶ୍ୟକ ମୁତାବକ ଟ୍ରକ୍ ଆସୁନାହିଁ । ଯାହାଫଳରେ ଚାଷୀମାନେ ଦିନ ଦିନ ଧରି ମଣ୍ଡିରେ ପଡ଼ି ରହି ହଇରାଣ ହେଉଛନ୍ତି । ଏହା ସହିତ ମଣ୍ଡିରେ ଶ୍ରମିକଙ୍କ ଶୋଷଣ, ବସ୍ତା ଅଭାବ ଏବଂ ଦଲାଲ୍ରାଜ୍ ଚାଲିଥିବା ନେଇ ଚାଷୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି । ଚାଷୀଙ୍କ ଆନ୍ଦୋଳନ ଖବର ପାଇ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଧାରଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ସମସ୍ୟା ବୁଝିବା ସହ ସମବାୟ ବିଭାଗ ଓ ମିଲର୍ସଙ୍କ ସହ ସଙ୍ଗେ ସଙ୍ଗେ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ବିଧାୟକଙ୍କ କଡ଼ା ଆଭିମୁଖ୍ୟ ପରେ ତୁରନ୍ତ ମଣ୍ଡିକୁ ଟ୍ରକ୍ ପଠାଯାଇଥିଲା । ଏହାପରେ ଧର୍ମଗଡ଼ ସମବାୟ ନିବନ୍ଧକ , ଅତିରିକ୍ତ ଯୋଗାଣ ଅଧିକାରୀ, ଜୟପାଟଣା ଯୋଗାଣ ନିରୀକ୍ଷକ ଏବଂ ଗୁନଗୁନିଆ ରାଜସ୍ୱ ନିରୀକ୍ଷକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ହଟିଥିଲେ । ପ୍ରତିଶ୍ରୁତି ମୁତାବକ, ମେ ୨୦ରୁ ଅଟକି ରହିଥିବା ଟୋକାନ ଆଧାରରେ ପୁଣି ଧାନ କିଣା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୫ ଜଣ ଚାଷୀଙ୍କ ଠାରୁ ୭୦୨ କୁଇଣ୍ଟାଲ ଧାନ ତିନିଟି ମିଲ୍ ଦ୍ଵାରା ଉଠାଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମଣ୍ଡିର ସାମଗ୍ରିକ ଟାର୍ଗେଟ ୭ ହଜାର ୩୧୧ କୁଇଣ୍ଟାଲ ରହିଛି । ଆସନ୍ତା କାଲି ଠାରୁ ଧାନ ଉଠାଣ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ସ୍ଥାନୀୟ ପେକ୍ସ ଅଧିକାରୀ ସୂଚନା ଦେଇଛନ୍ତି । ଏବେ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଆଗାମୀ ଦିନରେ କେତେ ଦୂର କାର୍ଯ୍ୟକାରୀ ହେଉଛି ଏବଂ ସବୁ ପ୍ରକୃତ ଚାଷୀଙ୍କ ଧାନ ସୁରୁଖୁରୁରେ ସରକାରୀ ଦରରେ ଉଠୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା ।