ଜିଲ୍ଲାସ୍ତରୀୟ ହ୍ୟାଣ୍ଡବଲ୍ ପ୍ରତିଯୋଗିତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ରାଧାକାନ୍ତ ବିଦ୍ୟାପୀଠ, ଡେଲାଙ୍ଗ ଷ୍ଟେସନ ପରିସରରେ ଜିଲ୍ଲାସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବିଦ୍ୟାଳୟ ସମୁହ କ୍ରୀଡା ସଙ୍ଘ ସଭାପତି ତଥା ବିଇଓ ବିନୋଦ କୁମାର ପରମାଣିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ବିଶ୍ୱାଳ ଯୋଗଦେଇ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ଜାଳିବା ସହିତ କ୍ରୀଡାପତାକା ଉତ୍ତୋଳନ କରି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଡେଲାଙ୍ଗ ବିଦ୍ୟାଳୟ ସମୁହ କ୍ରୀଡା ସଙ୍ଘ ସମ୍ପାଦକ ସୂର୍ଯ୍ୟ ନାରାୟଣ ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ଏହି ପ୍ରତିଯୋଗିତାରେ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ, ସତ୍ୟବାଦୀ ବ୍ଲକ ଓ ପୁରୀ ସଦରରୁ ସମୁଦାୟ ୨୮ ଜଣ ପୁରୁଷ ଓ ୧୮ ଜଣ ମହିଳା ଖେଳାଳୀ ଯୋଗଦେଇ ସେମାନଙ୍କ କ୍ରୀଡା କୌଶଳ ପ୍ରଦର୍ଶନ କରିଥିବା ବେଳେ ୧୧ ଜଣ ଖେଳାଳୀ ଅଫିସିଆଲ ଦାୟିତ୍ୱ ତୁଲାଇଥିଲେ । ଏଥିରେ ୩ଟି ବ୍ଲକର ସମସ୍ତ ଶାରୀରିକ କ୍ରୀଡା ଶିକ୍ଷକ ଉପସ୍ଥିତ ରହିଥିବା ବେଳେ ବିଦ୍ୟାଳୟର ଶାରୀରିକ କ୍ରୀଡା ଶିକ୍ଷକ ନଟବର ସେଠୀ ଏ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲା ସ୍ତରରୁ ୧୨ଜଣ ଖେଳାଳୀଙ୍କୁ ଚୟନ କରାଯାଇଥବା ବେଳେ ଡେଲାଙ୍ଗ ବ୍ଲକ କଲ୍ୟାଣପୁର ସେକେଣ୍ଡାରୀ ସ୍କୁଲର ତପନ ପ୍ରଧାନ ଶ୍ରେଷ୍ଠ କ୍ରୀଡା ପ୍ରଦର୍ଶନ କରିଥିଲେ । ସୁନ୍ଦରଗଡ଼ରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଏହି ଖେଳାଳୀମାନେ ଅଂଶଗ୍ରହଣ କରିବେ ବୋଲି ଶାରୀରିକ କ୍ରୀଡା ଶିକ୍ଷକ ଶ୍ରୀ ସେଠୀ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶାରୀରିକ କ୍ରୀଡା ଶିକ୍ଷକ ଆର୍ତ୍ତତ୍ରାଣ ମହାନ୍ତି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ଭୋଇ, ଧାନକେରା ହାଇସ୍କୁଲର ପ୍ରଧାନଶିକ୍ଷକ ସତ୍ୟବାଦୀ ଦାଶ, ପୁରୀ ସଦର କ୍ରୀଡା ସଙ୍ଘ ସମ୍ପାଦକ ନିହାରରଞ୍ଜନ ପଲେଇ, ସତ୍ୟବାଦୀ କ୍ରୀଡା ସଙ୍ଘ ସମ୍ପାଦକ ସୁଚିତ୍ରା ଖଟେଇ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ମନୋଜ କୁମାର ପରିଡା, ରମେଶ ସ୍ୱାଇଁ, ସୁବାସ ଚନ୍ଦ୍ର ରାଉତରାୟ, ଅର୍ଚନା ନାୟକ, ଶାଶ୍ୱତ ପ୍ରିୟଦର୍ଶୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.