
ନବରଙ୍ଗପୁର, (କେପିଏନ୍ଏସ୍) : ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ଘଟଣା । ଛତିଶଗଡ଼ର କାଙ୍କେର ଜିଲ୍ଲା ଅନ୍ତର୍ଗତ ମାର୍କାଟୋଲା ଗାଁରେ ଭାଲୁ ଆତଙ୍କ। ଏକ ମାଈ ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଭାଇଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଭଉଣୀ ଗୁରୁତର ଆହତ ହୋଇ ରାୟପୁରରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ଘଟଣାର ପୂର୍ବଦିନ ସନ୍ଧ୍ୟାରେ ଉକ୍ତ ମାଈ ଭାଲୁ ନିଜର ଏକ ଛୁଆ ଭାଲୁକୁ ମାରିଦେଇଥିଲା। ଖବର ପାଇ ବନ ବିଭାଗ ଘଟଣାସ୍ଥଳରୁ ଛୁଆ ଭାଲୁର ମୃତଦେହ ଜବତ କରିଥିଲା। ପରଦିନ ସକାଳେ ଗାଁର ହଲାଲଖୋର ଜୁରି ଜଙ୍ଗଲ ସଂଲଗ୍ନ କ୍ଷେତରେ କାମ କରୁଥିବା ବେଳେ ଭାଲୁଟି ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲା। ଭାଇଙ୍କୁ ବଞ୍ଚାଇବାକୁ ଦୌଡ଼ି ଆସିଥିବା ତାଙ୍କ ଭଉଣୀ ଚାମାରୋନ ବାଇ ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଉଭୟଙ୍କୁ ଭାଲୁଟି ମାରାତ୍ମକ ଭାବେ ଆକ୍ରମଣ କରିଥିବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ଅନ୍ୟ ଭଉଣୀ ଖୋରିନ ବାଇ ମଧ୍ୟ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀ ଓ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଖୋରିନ ବାଇଙ୍କୁ ଉଦ୍ଧାର କରି ପ୍ରଥମେ କାଙ୍କେର ମେଡିକାଲ କଲେଜ ଏବଂ ପରେ ରାୟପୁରକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଭାଲୁଟି ଘଟଣାସ୍ଥଳ ଛାଡ଼ି ନ ଯାଇ ମୃତଦେହ ନିକଟକୁ ଆସୁଥିବା ଲୋକଙ୍କୁ ମଧ୍ୟ ପିଛା କରୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ଚାରି ଘଣ୍ଟା ପରେ ରାୟପୁରରୁ ପହଞ୍ଚିଥିବା ବିଶେଷଜ୍ଞ ଦଳ ଟ୍ରାଙ୍କୁଲାଇଜର ବ୍ୟବହାର କରି ଭାଲୁକୁ ଅଚେତ କରି ନିୟନ୍ତ୍ରଣକୁ ଆଣିଥିଲେ। ଏହାପରେ ମୃତଦେହ ଉଦ୍ଧାର କରାଯାଇଥିଲା। ଗୋଟିଏ ପରିବାରର ତିନି ଭାଇଭଉଣୀଙ୍କ ଉପରେ ଏଭଳି ମାରାତ୍ମକ ଆକ୍ରମଣ ଏବଂ ଦୁଇଜଣଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଘଟଣା ପରେ ଜଙ୍ଗଲ ସଂଲଗ୍ନ ଗାଁଗୁଡ଼ିକରେ ଭୟର ପରିବେଶ ସୃଷ୍ଟି ହୋଇଛି।