ଜିଏସଟି ହ୍ରାସ ସମବାୟ ସଂସ୍ଥା, କୃଷକ ଏବଂ ଗ୍ରାମୀଣ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ଦେବ

  • ୧୦ କୋଟିରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହେବେ
  • ଦୁଗ୍ଧ ଏବଂ ପନିର ଉପରେ କୌଣସି ଜିଏସଟି ନାହିଁ, ବଟର ଏବଂ ଘିଅ ଉପରେ ୫% ଜିଏସଟି
  • ସୁଲଭ ଦୁଗ୍ଧ ଉତ୍ପାଦ ପୋଷଣ ସୁରକ୍ଷା ବୃଦ୍ଧି କରିବ ଏବଂ ଦୁଗ୍ଧ ସମବାୟଗୁଡ଼ିକୁ ଲାଭ ଦେବ
  • ପନିର, ପାସ୍ତା, ନମକିନ, ଜାମ୍, ଜେଲି, ଫଳ ପଲ୍ପ ଏବଂ ଜୁସ୍-ଆଧାରିତ ପାନୀୟ ଭଳି, ସମବାୟ ସଂସ୍ଥା ଦ୍ୱାରା ପ୍ରକ୍ରିୟାକରଣ କରାଯାଉଥିବା ଖାଦ୍ୟ ଉତ୍ପାଦ ଉପରେ ୫%କୁ ହ୍ରାସ
  • ଏହା ପାରିବାରିକ ଖର୍ଚ୍ଚ ହ୍ରାସ କରିବ, ଚାହିଦା ବୃଦ୍ଧି କରିବ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଦୁଗ୍ଧ ପ୍ରକ୍ରିୟାକରଣ ସମବାୟକୁ ମଜବୁତ କରିବ
  • ପ୍ୟାକିଂ କାଗଜ, କ୍ୟାନ୍ ଏବଂ କ୍ରେଟ୍ ଉପରେ ୫% ଜିଏସଟି, ଯାହା ଦ୍ୱାରା ଲଜିଷ୍ଟିକ୍ସ ଏବଂ ପ୍ୟାକେଜିଂ ଖର୍ଚ୍ଚ ହ୍ରାସ ପାଇବ
  • ୧୮୦୦ ସିସିରୁ କମ୍ କ୍ଷମତା ବିଶିଷ୍ଟ ଟ୍ରାକ୍ଟର ଏବଂ ଟ୍ରାକ୍ଟର ଅଂଶ ଉପରେ ୫% ଜିଏସଟି
  • ଆମୋନିଆ, ସଲଫ୍ୟୁରିକ୍ ଏସିଡ୍ ଏବଂ ନାଇଟ୍ରିକ୍ ଏସିଡ୍ ଭଳି ପ୍ରମୁଖ ସାର କଞ୍ଚାମାଲ ଉପରେ ୫% ଜିଏସଟି, ଯାହା ଦ୍ୱାରା ସାର ସୁଲଭ ହେବ
  • ୧୨ଟି ଜୈବିକ-କୀଟନାଶକ ଏବଂ ଅନେକ ସୂକ୍ଷ୍ମ ପୋଷକ ତତ୍ତ୍ୱ ଉପରେ ଜିଏସଟି ୧୨% ରୁ ୫% କୁ ହ୍ରାସ ପାଇଛି, ଯାହା ଜୈବିକ ଏବଂ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବ
  • ଟ୍ରକ୍ ଏବଂ ଡେଲିଭରି ଭ୍ୟାନ୍ ଉପରେ ଜିଏସଟି ୧୮%କୁ ହ୍ରାସ ପାଇଛି, ଯାହା ପ୍ରତି ଟନ୍-କିଲୋମିଟରରେ ମାଲ ପରିବହନ ହ୍ରାସ କରିବ, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ ଏବଂ ରପ୍ତାନି ପ୍ରତିଯୋଗିତା ବୃଦ୍ଧି କରିବ
  • ମାଲ ପରିବହନ ଯାନ ପାଇଁ ତୃତୀୟ ପକ୍ଷ ବୀମା ଉପରେ ଜିଏସଟି ୫%କୁ ହ୍ରାସ କରାଯିବ ଏବଂ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ମଧ୍ୟ ପ୍ରଦାନ କରାଯିବ ।

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ହ୍ରାସ ଦ୍ୱାରା ୧୦ କୋଟିରୁ ଅଧିକ ଦୁଗ୍ଧ ଚାଷୀ ସମେତ ସମବାୟ, ଚାଷୀ ଏବଂ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସିଧାସଳଖ ଉପକୃତ ହେବେ । ଏହି ସଂସ୍କାରଗୁଡ଼ିକ ସମବାୟ କ୍ଷେତ୍ରକୁ ମଜବୁତ କରିବ । ସେମାନଙ୍କର ଉତ୍ପାଦଗୁଡ଼ିକୁ ଅଧିକ ପ୍ରତିଯୋଗିତାକ୍ଷମ କରିବା ସହ ସେମାନଙ୍କର ଉତ୍ପାଦର ଚାହିଦା ଏବଂ ସେମାନଙ୍କ ଆୟ ବୃଦ୍ଧି କରିବ । ଏହା ଗ୍ରାମୀଣ ଉଦ୍ୟୋଗକୁ ବୃଦ୍ଧି କରିବ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସମବାୟକୁ ଉତ୍ସାହିତ କରିବ ଏବଂ ଲକ୍ଷ ଲକ୍ଷ ପରିବାରକୁ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଇବ । ଜିଏସ୍‌ଟି ହ୍ରାସ କୃଷି ଏବଂ ପଶୁପାଳନରେ ନିୟୋଜିତ ସମବାୟଗୁଡ଼ିକୁ ଲାଭଦାୟକ କରିବ । ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବ ଏବଂ କ୍ଷୁଦ୍ର ଚାଷୀ ଏବଂ କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ)କୁ ସିଧାସଳଖ ଲାଭ ଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ପରବର୍ତ୍ତି ପିଢିର ସଂସ୍କାରକୁ ଅମୂଲ ଭଳି ବୃହତ ସମବାୟ ବ୍ରାଣ୍ଡ ସମେତ ସମଗ୍ର ଦୁଗ୍ଧ ସମବାୟ କ୍ଷେତ୍ର ସ୍ୱାଗତ କରିଛି । ଦୁଗ୍ଧ କ୍ଷେତ୍ରରେ, ଚାଷୀ ଏବଂ ଗ୍ରାହକମାନଙ୍କୁ ଜିଏସଟିରେ ସିଧାସଳଖ ରିହାତି ଦିଆଯାଇଛି । କ୍ଷୀର ଏବଂ ପନିର, ବ୍ରାଣ୍ଡେଡ୍ କିମ୍ବା ଅଣବ୍ରାଣ୍ଡେଡ୍, ଜିଏସଟିରୁ ମୁକ୍ତ କରାଯାଇଛି । ବଟର, ଘିଅ ଏବଂ ଅନ୍ୟାନ୍ୟ ଏପରି ଉତ୍ପାଦ ଉପରେ ଜିଏସଟି ୧୨%ରୁ ୫%କୁ ହ୍ରାସ କରାଯାଇଛି । ଲୁହା, ଷ୍ଟିଲ୍ ଏବଂ ଆଲୁମିନିୟମରେ ତିଆରି କ୍ଷୀର କ୍ୟାନିଷ୍ଟର ଉପରେ ଜିଏସଟି ମଧ୍ୟ ୧୨%ରୁ ୫%କୁ ହ୍ରାସ କରାଯାଇଛି । ଏହି ପଦକ୍ଷେପଗୁଡ଼ିକ ଦୁଗ୍ଧ ଉତ୍ପାଦକୁ ଅଧିକ ପ୍ରତିଯୋଗିତାକ୍ଷମ କରିବା ସହ, ଦୁଗ୍ଧ ଚାଷୀମାନଙ୍କୁ ସିଧାସଳଖ ଆଶ୍ୱସ୍ତି ଦେବ । ମହିଳା ପରିଚାଳିତ ଗ୍ରାମୀଣ ଉଦ୍ୟୋଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ମାନଙ୍କୁ, ବିଶେଷତଃ ଯେଉଁମାନେ ଦୁଗ୍ଧ ପ୍ରକ୍ରିୟାକରଣରେ ନିୟୋଜିତ, ସେମାନଙ୍କୁ ସଶକ୍ତ କରିବ । ସୁଲଭ ଦୁଗ୍ଧ ଉତ୍ପାଦ ପ୍ରତ୍ୟେକ ପରିବାରକୁ ଆବଶ୍ୟକୀୟ ପ୍ରୋଟିନ୍ ଓ ଚର୍ବିର ଉତ୍ସ ଯୋଗାଇବା ସହ, ଦୁଗ୍ଧ ସମବାୟ ସମିତିମାନଙ୍କ ଆୟ ବୃଦ୍ଧି କରିବ । ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଘରୋଇ ବ୍ୟବହାର ସାମଗ୍ରୀରେ ବଡ଼ ରିହାତି ଦିଆଯାଇଛି । ପନିର, ନମକିନ୍, ବଟର ଏବଂ ପାସ୍ତା ଉପରେ ଜିଏସଟି ୧୨% କିମ୍ବା ୧୮%ରୁ ୫%କୁ ହ୍ରାସ କରାଯାଇଛି । ଜାମ୍, ଜେଲି, ଇଷ୍ଟ, ଭୁଜିଆ ଏବଂ ଫଳ ପଲ୍ପ/ରସ୍ ଆଧାରିତ ପାନୀୟ ଉପରେ ଏବେ ୫% ଜିଏସଟି ଲାଗୁ ହେବ । ଚକୋଲେଟ୍, କର୍ଣ୍ଣ ଫ୍ଲେକ୍ସ, ଆଇସ୍କ୍ରିମ୍, ପେଷ୍ଟ୍ରି, କେକ୍, ବିସ୍କୁଟ୍ ଏବଂ କଫି ଉପରେ ଜିଏସଟି ମଧ୍ୟ ୧୮%ରୁ ୫%କୁ ହ୍ରାସ କରାଯାଇଛି । ଜିଏସଟି ହ୍ରାସର ଫଳରେ ଖାଦ୍ୟ ସାମଗ୍ରୀ ଉପରେ ପାରିବାରିକ ଖର୍ଚ୍ଚ କମିବ, ଅର୍ଦ୍ଧ-ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ପାଇବ, ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଓ ଦୁଗ୍ଧ ସମବାୟଗୁଡ଼ିକର ଅଭିବୃଦ୍ଧିକୁ ପ୍ରେରଣା ମିଳିବ । ଏହା ଖାଦ୍ୟ ଏବଂ ଦୁଗ୍ଧ ସମବାୟ କ୍ଷେତ୍ରକୁ ସଶକ୍ତ କରିବା ସହିତ ଚାଷୀମାନଙ୍କ ଆୟ ବୃଦ୍ଧି କରିବ । ପ୍ୟାକିଂ କାଗଜ, କ୍ୟାନ ଏବଂ କ୍ରେଟ ଉପରେ ଜିଏସଟିକୁ ୫%କୁ ହ୍ରାସ କରାଯାଇଥିବାରୁ ସମବାୟ ଏବଂ ଖାଦ୍ୟ ଉତ୍ପାଦକମାନଙ୍କ ପାଇଁ ଲଜିଷ୍ଟିକ୍ସ ଓ ପ୍ୟାକେଜିଂ ଖର୍ଚ୍ଚ ହ୍ରାସ ପାଇବ । କୃଷି ଯନ୍ତ୍ରପାତି କ୍ଷେତ୍ରରେ, ୧୮୦୦ ସିସିରୁ କମ୍ କ୍ଷମତା ବିଶିଷ୍ଟ ଟ୍ରାକ୍ଟର ଉପରେ ଜିଏସଟି ୫%କୁ ହ୍ରାସ କରାଯାଇଛି । ଏହା ଟ୍ରାକ୍ଟରଗୁଡ଼ିକୁ ଅଧିକ ସୁଲଭ କରିବ । କେବଳ ଫସଲ ଉତ୍ପାଦନକାରୀ ଚାଷୀମାନଙ୍କୁ ନୁହେଁ ବରଂ ପଶୁପାଳନ ଏବଂ ମିଶ୍ରିତ ଚାଷୀମାନଙ୍କୁ ମଧ୍ୟ ଲାଭ ଦେବ କାରଣ ଏଗୁଡ଼ିକୁ ଚାରା ଚାଷ, ଚାରା ପରିବହନ ଏବଂ କୃଷି ଉତ୍ପାଦ ପରିଚାଳନାରେ ବ୍ୟବହାର କରାଯାଇପାରିବ । ଟ୍ରାକ୍ଟର ଟାୟାର, ଟ୍ୟୁବ୍, ହାଇଡ୍ରୋଲିକ୍ ପମ୍ପ ଏବଂ ଅନ୍ୟାନ୍ୟ ଅନେକ ଅଂଶ ଉପରେ ଜିଏସଟି ୧୮%ରୁ ୫%କୁ ହ୍ରାସ କରାଯାଇଛି, ଯାହା ଖର୍ଚ୍ଚକୁ ଆହୁରି ହ୍ରାସ କରିବ ଏବଂ ସିଧାସଳଖ ସମବାୟକୁ ଲାଭ ଦେବ । ସାର କ୍ଷେତ୍ରରେ, ଆମୋନିଆ, ସଲଫ୍ୟୁରିକ୍ ଏସିଡ୍ ଏବଂ ନାଇଟ୍ରିକ୍ ଏସିଡ୍ ଭଳି ପ୍ରମୁଖ କଞ୍ଚାମାଲ ଉପରେ ଜିଏସଟି ୧୮%ରୁ ୫%କୁ ହ୍ରାସ କରାଯାଇଛି । ଏହା ବିପରୀତ ଟିକସ ବ୍ୟବସ୍ଥାକୁ ସୁଧାରିବ, ସାର କମ୍ପାନୀଗୁଡ଼ିକର ଇନପୁଟ୍ ଖର୍ଚ୍ଚ ହ୍ରାସ କରିବ, ଚାଷୀଙ୍କ ପାଇଁ ମୂଲ୍ୟ ବୃଦ୍ଧିକୁ ରୋକିବ ଏବଂ ବିହନ ସମୟରେ ସୁଲଭ ସାର ସୁନିଶ୍ଚିତ କରିବ । ଏହା ସିଧାସଳଖ ସମବାୟ ସଂସ୍ଥାଗୁଡ଼ିକୁ ଲାଭବାନ କରିବ । ସେହିପରି, ବାରଟି ଜୈବିକ-କୀଟନାଶକ ଏବଂ ଅନେକ ସୂକ୍ଷ୍ମ ପୋଷକ ତତ୍ତ୍ୱ ଉପରେ ଜିଏସଟି ୧୨%ରୁ ୫%କୁ ହ୍ରାସ କରାଯାଇଛି । ଏହା ଜୈବିକ-ଆଧାରିତ କୃଷି ଇନପୁଟ୍ଗୁଡ଼ିକୁ ଅଧିକ ସୁଲଭ କରିବ, ଚାଷୀମାନଙ୍କୁ ରାସାୟନିକ କୀଟନାଶକ ଠାରୁ ଜୈବିକ-କୀଟନାଶକ ଆଡ଼କୁ ଯିବାକୁ ଉତ୍ସାହିତ କରିବ, ମାଟି ସ୍ୱାସ୍ଥ୍ୟ ଏବଂ ଫସଲର ଗୁଣବତ୍ତା ଉନ୍ନତ କରିବ, ଏବଂ କ୍ଷୁଦ୍ର ଜୈବିକ ଚାଷୀ ଏବଂ ଏପପିଓ ଗୁଡ଼ିକୁ ସିଧାସଳଖ ଲାଭବାନ କରିବ । ଏହି ପଦକ୍ଷେପ ସରକାରଙ୍କ ପ୍ରାକୃତିକ କୃଷି ମିଶନ ସହିତ ସଙ୍ଗତ ଏବଂ ସମବାୟ ସଂସ୍ଥାଗୁଡ଼ିକୁ ମଧ୍ୟ ଲାଭବାନ କରିବ । ବାଣିଜ୍ୟିକ ଯାନଗୁଡ଼ିକମଧ୍ୟରେ, ଟ୍ରକ୍ ଏବଂ ଡେଲିଭରି ଭ୍ୟାନ୍ ଭଳି ମାଲବାହୀ ଯାନ ଉପରେ ଜିଏସଟି ୨୮%ରୁ ୧୮%କୁ ହ୍ରାସ କରାଯାଇଛି । ଟ୍ରକଗୁଡ଼ିକ ଭାରତର ଯୋଗାଣ ଶୃଙ୍ଖଳର ମେରୁଦଣ୍ଡ ଏବଂ ପ୍ରାୟ ୬୫-୭୦% ମାଲ ପରିବହନ କରନ୍ତି । ଏହା ଟ୍ରକଗୁଡ଼ିକର ପୁଞ୍ଜି ମୂଲ୍ୟ ହ୍ରାସ କରିବ, ପ୍ରତି ଟନ୍-କିଲୋମିଟର ମାଲ ପରିବହନ ହ୍ରାସ କରିବ ଏବଂ କୃଷି ଉତ୍ପାଦ ପରିବହନକୁ ଶସ୍ତା କରିବା, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ଏବଂ ରପ୍ତାନି ପ୍ରତିଯୋଗିତା ବୃଦ୍ଧି କରିବା ଉପରେ ପ୍ରଭାବ ପକାଇବ । ଏହା ସହିତ, ମାଲବାହୀ ଯାନର ତୃତୀୟ-ପକ୍ଷ ବୀମା ଉପରେ ଜିଏସଟି ୧୨%ରୁ ୫%କୁ ହ୍ରାସ କରାଯାଇଛି । ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ସୁବିଧା ମଧ୍ୟ ପ୍ରଦାନ କରାଯାଇଛି, ଯାହାକି ଏହି ପ୍ରୟାସଗୁଡ଼ିକୁ ଆହୁରି ମଜବୁତ କରିବ ।

Leave A Reply

Your email address will not be published.