
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୧୯ ମୁଣ୍ଡା ମାର୍କେଟରେ ଭିକାରୀ ବେଶରେ ଆସି ବୃଦ୍ଧାଙ୍କ ପର୍ସ ଲୁଟି ନେଇଥିବା ଦମ୍ପତିଙ୍କୁ ସେକ୍ଟର-୧୯ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ ସେକ୍ଟର-୧୯ ଥାନା କେସ୍ ନଂ ୨୩୩, ତା ୦୧.୧୧.୨୦୨୬, ଧାରା ୩୦୪(୨) ବିଏନ୍ଏସ୍ରୁ ପରେ ୩୦୪(୨)/୩(୫) ବିଏନ୍ଏସ୍କୁ ପରିବର୍ତ୍ତନ କରାଯାଇଛି । ଘଟଣାକ୍ରମେ ସେକ୍ଟର-୧୬, ମଙ୍ଗଳା ମନ୍ଦିର ନିକଟର ଇସରତ ପରବିନ (୧୯), ପିତା- ସ୍ୱର୍ଗତ ଜହାଙ୍ଗୀର ଅହମ୍ମଦ, ତା ୦୧.୧୧.୨୦୨୬ ଅପରାହ୍ନ ୩ଟାରେ ଥାନାରେ ଅଭିଯୋଗ କରିଥିଲେ ଯେ, ସେହିଦିନ ସକାଳ ପ୍ରାୟ ୧୦.୪୫ ମିନିଟରେ ସେ ତାଙ୍କ ଜେଜେମା ଆପସାରି ବେଗମ (୭୭)ଙ୍କ ସହ ସେକ୍ଟର-୧୯ ମୁଣ୍ଡା ମାର୍କେଟକୁ ଯାଇଥିଲେ । ସେଠାରେ ଜଣେ ଅଜଣା ମହିଳା ଓ ଜଣେ ଅଜଣା ପୁରୁଷ ଭିକାରୀ ବେଶରେ ସେମାନଙ୍କ ପାଖକୁ ଆସି ହଠାତ୍ ବୃଦ୍ଧାଙ୍କ ହାତରୁ ଟଙ୍କା ପର୍ସ ଛଡାଇ ନେଇ ଫେରାର ହୋଇଯାଇଥିଲେ । ପର୍ସରେ ୫୦୦ ଓ ୧୦୦ ଟଙ୍କିଆ ନୋଟରେ ୪,୦୦୦ ଟଙ୍କା ଥିଲା । ପରେ ସେକ୍ଟର ୧୯ ଥାନା ପୁଲିସ ଏହି ଘଟଣାରେ ଅନୁସନ୍ଧାନ କରି ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଇନ୍ଦ୍ର ଚୌଧୁରୀ (୨୦), ପିତା- ସ୍ୱର୍ଗତ ରାମପୁକାର ଚୌଧୁରୀ ଓ ଦୀପା ଚୌଧୁରୀ (୨୨), ସ୍ୱାମୀ- ଇନ୍ଦ୍ର ଚୌଧୁରୀ । ଉଭୟଙ୍କ ଘର – ଗ୍ରାମ- କୋଟଶିଳା, ଥାନା- କୋଟଶିଳା, ଜିଲ୍ଲା- ପୁରୁଲିଆ, ପଶ୍ଚିମବଙ୍ଗ ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ପୂର୍ବ ଅପରାଧ ଇତିହାସ ଯାଞ୍ଚ ଜାରି ରହିଛି ବୋଲି ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ସୂଚନା ଦେଇଛନ୍ତି ।