jayashree

ଚରିତ୍ର ଗଠନରେ ବାଲ୍ମୀକି ରାମାୟଣର ଭୂମିକା ଆଲୋଚନା ଚକ୍ର

  • ରାମାୟଣ ଚରିତ୍ର ଗଠନର ମହାକାବ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ଓ ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ମିଳିତ ଆନୁକୂଲ୍ୟରେ ଚରିତ୍ର ଗଠନରେ ବାଲ୍ମୀକି ରାମାୟଣର ଭୂମିକା ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଶାଖାର ସଭାପତି ବିଜୟିନୀ ଜେନାଙ୍କ ଅଧ୍ୟକ୍ଷତା ଓ ସମ୍ପାଦିକା ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ମୁଖ୍ୟଅତିଥି, ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ସମ୍ମାନିତ ଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ରାଉରକେଲା ସମ୍ବାଦ ସଂସ୍କରଣର ମୁଖ୍ୟ ଲକ୍ଷ୍ମୀ ନାରାୟଣ ହୋତା ଯୋଗଦେଇ ମାର୍ମିକ ବକ୍ତବ୍ୟ ରଖିଥିଲେ । ବିଷୟ ବିଶେଷଜ୍ଞ ଶ୍ରୀ ହୋତା ତାଙ୍କ ବକ୍ତବ୍ୟରେ କହିଲେ ଯେ ବୈଷୟିକ ବିଦ୍ୟା ସର୍ବସ୍ୱ ନୁହେଁ । ଜୀବନ ହେଉଛି ସମ୍ବେଦନଶୀଳ, ଆମ ମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ରହିବା ଦରକାର । ପିଲାମାନଙ୍କ ଅପେକ୍ଷା ଆମେ କେତେ ଚରିତ୍ରବାନ ତାକୁ ଅଭିଭାବକ ଓ ଶିକ୍ଷକମାନେ ପ୍ରଥମେ ଆତ୍ମସମୀକ୍ଷା କରିବା ଦରକାର । ମହାତ୍ମାଗାନ୍ଧୀଙ୍କ ତ୍ୟାଗ ହିଁ ତାଙ୍କର ସାହାସ ଥିଲା । ସେହିପରି ଆମ ମାନଙ୍କ ମଧ୍ୟରେ ତ୍ୟାଗ ଓ ସମର୍ପଣ ଭାବ ରହିଲେ ଗ୍ରହଣୀୟତା ହୋଇପାରିବ । ସେହିପରି ସୀତା ହେଉଛନ୍ତି ଆଦର୍ଶର ପ୍ରତୀକ । ନୈତିକତା ପତନ ନଘଟିଲେ ରାମାୟଣ ପରିବର୍ତ୍ତନର ସୂତ୍ରଧର ହୋଇପାରିବ । ରାମାୟଣ ଚରିତ୍ର ଗଠନର ଏକ ମହାକାବ୍ୟ । ମୁଖ୍ୟଅତିଥି ଶ୍ରୀ ଶତପଥୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଶିକ୍ଷାର ଉଦ୍ଦେଶ୍ୟ ଜୀବିକା ପାଇଁ ନୁହେଁ, ଏହା ସହ ଉତ୍ତମ ଚରିତ୍ର ଗଠନ ଓ ନୈତିକତା ତଥା ସମ୍ମାନିତ ଅତିଥି ଶ୍ରୀ ଶତପଥୀ ସାମ୍ପ୍ରତିକ ସ୍ଥିତିରେ ଏଭଳି ଆଲୋଚନାକୁ ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତ ପ୍ରାକ୍ ଭାଷ,ସହ ସମ୍ପାଦିକା ମମତା ଜେନା ଅତିଥି ପରିଚୟ ଓ ଅନ୍ୟତମ ସହ ସମ୍ପାଦିକା ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ, ଆଶୁତୋଷ ଜ୍ୟୋତିଷୀ, ସୌମ୍ୟପ୍ରସାଦ ନନ୍ଦ, ଦୀନବନ୍ଧୁ ରଥ, ଡ. ରବିନ୍ଦ୍ର କୁମାର ଜେନା, କରୁଣାକର ପାଟ୍ଟଶାଣୀ, ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ ଓ ବିଦ୍ୟାମନ୍ଦିରର ସମସ୍ତ ଗୁରୁମା ଗୁରୁଜୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.