
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର ସାମଲଙ୍କ ନେତୃତ୍ଵରେ ଜିଲ୍ଲା ମୋବାଇଲ ୟୁନିଟ୍ ଓ ସଦର ରେଞ୍ଜ ପକ୍ଷରୁ ଜିଲ୍ଲାର ତିନୋଟି ପୃଥକ ସ୍ଥାନରେ ବିଭାଗ ପକ୍ଷରୁ ଚଢାଉ କରାଯିବା ସହ ୩ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ଏବଂ ୭ ଜଣଙ୍କୁ ଗିରଫ କରାଯାଇଛି । ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ୩ ଗୋଟି ଦାମୀ କାର ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ସୂଚନା ଅନୁଯାୟୀ ସୋନପୁର ସଦର ବୁଢାରଜା ଛକ୍ରେ ଚଢାଉ କରି ଜେଏଚ୍୦୧ଇୱାଇ- ୩୩୧୬ ନମ୍ବର ବିଶିଷ୍ଟ ସ୍କର୍ପିଓ ଗାଡ଼ିରୁ ୮୮ କେଜି ଗଞ୍ଜେଇ ଜବତ ସହ ଝାଡ଼ଖଣ୍ଡ ରାଜ୍ୟ ସିମଡେଗା ଜିଲ୍ଲା ଜାଲଡେଗା ଥାନା ଅନ୍ତର୍ଗତ ଲାମଡେଗା ଗାଁର ଅଜିତ ସାମଦ(୪୨) ଓ ପାରବା ଗାଁର ଚୌହାନସ୍ ମିଞ୍ଜ(୩୧)ଙ୍କୁ ଗିରଫ କରିଥିଲା । ସେହିପରି ପୁଣି ବିଭାଗ ପକ୍ଷରୁ ବୀରମହାରାଜପୁର ଥାନା ଫୁଲଚରା ଛକରେ ଚଢାଉ କରାଯାଇ ଏକ କାର ସହ ୧୬୦ କେଜି ଗଞ୍ଜେଇ ଜବତ କରିବା ସହିତ ଏହି ମାମଲାରେ ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା କୋପରଣ୍ଡା ଗାଁର ତାରିଣୀ ମହାତୋ(୨୮) ଓ ବାଗଡେଗା ଗାଁର ମାନସୋନ ଓରାମ(୨୬)ଙ୍କୁ ଗିରଫ କରାଯାଇଥିଲା । ସେହିପରି ପୁଣି ଉଲୁଣ୍ଡା ଥାନା ଉଦେପଦର ଛକ୍ଠାରେ ଚଢଉ କରାଯାଇ ଜେଏଚ୍୦୧ଇୟୁ- ୦୬୨୫ ନମ୍ବର ବିଶିଷ୍ଟ ଏକ କାରରୁ ୬୦ କେଜି ଗଞ୍ଜେଇ ଜବତ କରିବା ସହ ଝାଡ଼ଖଣ୍ଡ ରାଜ୍ୟ ଗିରିଡିହ ଜିଲ୍ଲା ତାରାତଣ୍ଡ ଥାନା ଅନ୍ତର୍ଗତ କୋରବନ୍ଦ ଗାଁର ରାହୁଲ କୁମାର ମଣ୍ଡଳ(୨୫), କୋଲାବିରା ଥାନା ଟୁଟିକେଲ ଗାଁର ବେନାସ ଗିରି(୩୩) ଓ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଘୋଡାପଡାର ଜିତେନ ତିର୍କୀ(୨୨)ଙ୍କୁ ଗିରଫ କରିଥିଲା । ଜବତ ଗଞ୍ଜେଇର ବଜାର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ଏବଂ ସ୍ଥାନୀୟ ସରକାରୀ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି । ଅବକାରୀ ଅଧିକ୍ଷକ ଶ୍ରୀ ସାମଲଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ରରେ ଆଇଆଇସି ଜ୍ୟୋତିମୟ ପଟେଲ, ଓଆଇସି ଶାନ୍ତନୁ ପଟ୍ଟନାୟକ, ଏସ୍ଆଇ ଟଙ୍କଧର କିଷାନଙ୍କ ସହ ଅବକାରୀ କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।