
- କୋର୍ଟ ଚାଲାଣ କଲା ପୁଲିସ, ଦୁଇ ଫେରାର
- ଗୋ-ହତ୍ୟାକାରୀକୁ କୋର୍ଟ ଚାଲାଣ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ହୋଇଥିବା ଗୋ-ହତ୍ୟା ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାରେ ଆହୁରି ଦୁଇ ଜଣ ଫେରାର ଥିବାରୁ ତାଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ବଲାଙ୍ଗିର ଏସ୍ଡିପିଓ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି । ତେବେ ବାପ ପୁଅ ଗୋ ହତ୍ୟାକାରୀ ସାଜିଥିବାରୁ ଏହାକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଦେଓଗାଁ ଥାନା ଅଧିକାରୀ ସବିତା ଠେମେରା ଓ ତାଙ୍କ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ଦୁଇ ଜଣ ହେଲେ ଫଟାମୁଣ୍ଡା ଗାଁର ମଗନ ରାୟ ଓ ତାଙ୍କ ପୁଅ ତାରାକାନ୍ତ ରାୟ । ତେବେ ଏଏସ୍ଆଇ ମୁରଲୀଧର ସେଠୀ ତଦନ୍ତ ଅଧିକାରୀ ଭାବରେ ରହିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଉପରଝର ପଞ୍ଚାୟତର ରେଙ୍ଗାଲି ଗାଁର ସୁନା ତାଙ୍କ ଗାଈକୁ ବାନ୍ଧି ଦେଇ ଘରକୁ ଖାଇବା ପାଇ ଯାଇଥିବା ବେଳେ ଗାଈକୁ କେହି ଚୋରି କରି ନେଇ ହତ୍ୟା କରିବା ପରେ ମୁଣ୍ଡ ଓ ଗଣ୍ଡିକୁ ଫିଙ୍ଗି ଦେଇଥିବା ଜଣାପଡିଥିଲା । ଏନେଇ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତତ୍ପରତା ପ୍ରକାଶ କରିନଥିବାରୁ ବଲାଙ୍ଗିର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ ଗାଁ ଲୋକେ । ଯାହାଫଳରେ ପୁଲିସ ସଠିକ ତଦନ୍ତ କରି ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣା ଦେଓଗାଁ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।