jayashree

ଓଡିଶା ବଲାଙ୍ଗିର ଜିଲ୍ଲାରୁ ଚୋରି ଟ୍ରାକ୍ଟର ଛତିଶଗଡ ରାଜ୍ୟରୁ ଉଦ୍ଧାର : ୫ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବୈଜଲସାଗର ଗ୍ରାମରୁ ଚୋରି ହୋଇଥିବା ଟ୍ରାକ୍ଟର ସୁଦୂର ଛତିଶଗଡ ରାଜ୍ୟରୁ ଜବତ କରିଛି ଖପ୍ରାଖୋଲ ପୋଲିସ । ବୈଜଲସାଗର ଗ୍ରାମରୁ ଗତ ଜାନୁଆରୀ ୨୮ ତାରିଖ ରବିବାର ଦିନ ଚୋରି ହୋଇଥିଲା ଟ୍ରାକ୍ଟର । ଏହି ଘଟଣାରେ ୫ ଜଣ ଯୁବକକୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ ଗତ ୨୮ ତାରିଖ ବିଳମ୍ବିତ ରାତିରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ବୈଜଲସାଗର ଗ୍ରାମର ହୃଦାନନ୍ଦ ସାହୁ ତାଙ୍କ ଧାନକଳ ସମ୍ମୁଖରେ ଟ୍ରାକ୍ଟର ରଖିଥିଲେ । ବଲାଙ୍ଗିର ନିକଟସ୍ଥ ଅଞ୍ଚଳର ୪ ଜଣ ଦୁର୍ବୃତ୍ତ ଏହି ଟ୍ରାକ୍ଟରଟିକୁ ଚୋରି କରିନେଇଥିଲେ । ଏହାପରେ ସେମାନେ ଉକ୍ତ ଟ୍ରାକ୍ଟରକୁ ବିକ୍ରି କରିବା ଉଦ୍ଦେଶ୍ୟରେ ମଧ୍ୟରାତ୍ରିରେ ସୁଦୂର ଛତିଶଗଡ ରାଜ୍ୟକୁ ନେଇ ଫେରାର ମାରିଥିଲେ । ଟ୍ରାକ୍ଟର ମାଲିକ ହୃଦାନନ୍ଦ ସାହୁ ଖପ୍ରାଖୋଲ ଥାନାରେ ଜାନୁଆରୀ ୨୯ ତାରିଖ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ଗୋଟିଏ ପୋଲିସ ଟିମ୍‌ ଗଠନ କରି ତତ୍କାଳ ରାସ୍ତା ଆଖପାଖରେ ଲାଗିଥିବା ସିସିଟିଭି ଆଧାରରେ ଚୋରମାନଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ । ଗତ ୩୧ ତାରିଖ ବୁଧବାର ଦିନ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୁଦୂର ଛତିଶଗଡ ରାଜ୍ୟରୁ ଚୋରି ହୋଇଥିବା ଟ୍ରାକ୍ଟର ସହ ୪ ଜଣ ଅଭିଯୁକ୍ତ ଏବଂ ଚୋରୀରେ ବ୍ୟବହୃତ ହୋଇଥିବା ବୋଲେରୋ, ପିକ୍‌ଅପ୍‌, ୧୦ଟି ଖାଲି ଗ୍ୟାସ ସିଲିଣ୍ଡର ଓ ଗୋଟିଏ ମୋଟର ସାଇକେଲ ଜବତ କରି ଖପ୍ରାଖୋଲ ଥାନାକୁ ଆଣିଥିଲେ । ଚୋରମାନଙ୍କୁ ଅଧିକ ପଚରାଉଚରା କରିବାରୁ ସେମାନେ ଆହୁରି ଚୋରି କରି ବିକ୍ରି କରିଥିବା କଥା ପୋଲିସ ସମ୍ମୁଖରେ ସ୍ୱୀକାର କରିଥିଲେ । ପୋଲିସ ତାହା ଶୁଣି ଲାଠୋର ଥାନା ଅନ୍ତର୍ଗତ ମସିଣା ଗ୍ରାମରୁ ରାଜେନ୍ଦ୍ର ମେହେର (୨୮)ଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ଆହୁରି ତିନୋଟି ଟ୍ରାକ୍ଟର ଜବତ କରିଥିଲେ । ସମୁଦାୟ ୪ଟି ଟ୍ରାକ୍ଟର ଏବଂ ୫ ଜଣ ଅଭିଯୁକ୍ତ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗ୍ରାମର ବ୍ରହ୍ମଚାରି ଶାନ୍ତନୁ (୩୧), ବଲାଙ୍ଗିର ଟାଉନରୁ ଅମିତ ବାଗ(୨୦), ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରୁ ପ୍ରିତମ ଶର୍ମା (ସୋନୁ)(୨୦), ଲୋଇସିଂହା ଥାନା ଅନ୍ତର୍ଗତ ରାଣିପାଲି ଗ୍ରାମର ଶ୍ରୀକାନ୍ତ ଶିକା(୧୯) ଏବଂ ଚୋରି ସାମଗ୍ରୀ କିଣିଥିବା ବ୍ୟକ୍ତି ରାଜେନ୍ଦ୍ର ମେହେରଙ୍କୁ ଗିରଫ କରାଯାଇ ଖପ୍ରାଖୋଲ ଥାନା କେସ୍‌ ନଂ ୩୮/୨୦୨୪ରେ ଭାରତୀୟ ପେନାଲ କୋଡ଼ ୩୭୯ ଅଧିନିୟମ ଅନୁଯାୟୀ ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଉପଖଣ୍ଡ ପୋଲିସ ଅଧ୍ୟକ୍ଷ ଜ୍ୟୋତିର୍ମୟ ଭୁକ୍ତା ଆଜି ଖପ୍ରାଖୋଲ ଥାନାରେ ହୋଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ଏହି ସଫଳତାକୁ ଖପ୍ରାଖୋଲ ଅଞ୍ଚଳବାସୀ ବହୁତ ପ୍ରଶଂସା କରୁଥିବା ବେଳେ ଅନ୍ୟ ପକ୍ଷରେ ଶ୍ରୀ ସାହୁଙ୍କୁ ଅନ୍ୟତ୍ର ବଦଳି ହୋଇଥିବା ଜାଣି ବହୁତ ଦୁଃଖ ପ୍ରକାଶ କରୁଛନ୍ତି ।

Leave A Reply

Your email address will not be published.