ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟସ୍ଥ ବନ୍ଧଛକ ବୁଡ଼ାଗୁଡା ରାସ୍ତା ନିକଟରୁ ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ଦୁଇଟି ଗାଡ଼ିରେ କିଛି ଦୁର୍ବୃତ୍ତ ଆସି ହାଟପଦା ସାହିର ମାଂସ ବ୍ୟବସାୟୀ ହେମନ୍ତ ଗଣ୍ଡା ଓ ପଣ୍ଡିତ ମାଝୀଙ୍କୁ ଉଠାଇ ଅପହରଣ କରି ନେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଖବର ପାଇ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ସହ ସଦଳବଳେ ପୁଲିସ ଦୁର୍ବୃତ୍ତଙ୍କ ପିଛା କରିଥିଲେ । ଅପହରଣରେ ଗୋଟିଏ ଇନୋଭା ଓ ଗୋଟିଏ ବୋଲେରୋ ଗାଡ଼ି ରହିଥିଲା । ପୁଲିସ ପିଛା କରି ଅପହରଣରେ ସାମିଲ ଥିବା ଗୋଟିଏ ବୋଲେରୋ ଓ ଇନୋଭାକୁ କାବୁ କରି ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ ଘଟଣାର ପର୍ଦାଫାଶ କରିଛି ବାଲିଗୁଡା ପୋଲିସ । ଗତ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିଲା । ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଗୋଟିଏ ଇନୋଭା ନଂ.ଓଆର- ୦୨-ଏନ-୧୧୧୯ ବିଏଚ ଓ ଗୋଟିଏ ବୋଲେରୋ ନଂ.ଓଡି-୦୨ବି-ଏଚ – ୩୯୮୯ ଏପରି ଦୁଇଟି ଗାଡି ଜବତ କରାଯାଇଛି । ଏହାସହ ଦୁଇ ଅପହୃତ ମାଂସ ବ୍ୟବସାୟୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିବା ଏବଂ ଅଧିକ ତଦନ୍ତ ପାଇଁ ଆବଶ୍ୟକ ପଡିଲେ ରିମାଣ୍ଡରେ ଅଣାଯିବ ବୋଲି ବାଲିଗୁଡା ଏସ୍ଡିପିଓ ୟସ ପ୍ରିତମ ଶ୍ରୀମଲ ଓ ପ୍ରୋବେସନାଲ ଡିଏସ୍ପି ଶୁଭ୍ରଜିତ ବିଶ୍ଵାଳ ସ୍ପଷ୍ଟ କରିଛନ୍ତି । ଏହା ସହ ଗିରଫ ବ୍ୟକ୍ତିମାନେ ହେଲେ ଗଞ୍ଜାମ ଜିଲ୍ଲା କୋଦୋଳା ଥାନା ଅଞ୍ଚଳର ରାହୁଲ ପ୍ରଧାନ, ମିଥୁନ ଜେନା, ଲିଙ୍ଗରାଜ ଜେନା, ସୁନୀଲ ପାଣ୍ଡି, ଶ୍ରୀତମ ସ୍ୱାଇଁ, ହିନା ପାଣ୍ଡି, ଜିତୁ ପ୍ରଧାନ, ଜଗେନ୍ଦ୍ର ରାଉତ ଓ ଗଣେଶ ସ୍ୱାଇଁ ବୋଲି ବାଲିଗୁଡା ଏସ୍ଡିପିଓ ସୂଚନା ଦେଇଛନ୍ତି । ଏହି ଘଟଣାର ଅଧିକ ତଦନ୍ତ ପାଇଁ ଏସ୍.ଆଇ. ଓମ୍ ନାରାୟଣ ପାତ୍ରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।