କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୂଆମୁଳ-ରାମପୁର ବ୍ଲକରେ ନୌକାଚାଳନା ଓ ତୀରଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଲୋକ ମହୋତ୍ସବ ଘୁମୁରା-୨୦୨୫ ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାରର କେନ୍ଦୁଗୁଡା ଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଶତାଧିକ ଆଦିବାସୀ ଅଂଶ ଗ୍ରହଣ କରିଥିଲେ । କଳାହାଣ୍ଡି ଉତ୍ସବ ଘୁମୁରାର ପରମ୍ପରା ଟିକେ ଭିନ୍ନ । ଏହି ଉତ୍ସବରେ ଜିଲ୍ଲାର କୋଣ ଅନୁକୋଣରୁ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯାଇଥାଏ । ସେ ମଧ୍ୟରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନ୍ୟତମ । ବୁଡି ଅଞ୍ଚଳରୁ ପ୍ରତିଯୋଗୀ ସହ ଦେଖଣାହାରୀ ମଧ୍ୟ ଛୁଟି ଆସିଥିଲେ । ଆଉ ସବୁବେଳେ ସ୍ତବ୍ଧ ହୋଇ ରହୁଥିବା ଏ ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା । ପ୍ରତିଯୋଗିତାକୁ ନେଇ ସ୍ଥାନୀୟ ଆଦିବାସୀଙ୍କ ଭିତରେ ବେଶ ଉତ୍ସାହ ଦେଖାଦେଇଥିବା ବେଳେ ଜିଲ୍ଲାର ସଂସ୍କୃତି ଓ ପରମ୍ପରାକୁ ଉଦ୍ଜୀବିତ କରିବା ତଥା ପଛୁଆ ବୁଡି ଅଞ୍ଚଳବାସୀଙ୍କୁ ସଚେତନ କରେଇବା ହିଁ ଲୋକ ମହୋତ୍ସବ ଘୁମୁରାର ମୂଳଲକ୍ଷ୍ୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ ।