jayashree

ଭୋଟର ତାଲିକାରେ ନାମ ସାମିଲ ଏବେ ଆହୁରି ସହଜ : ଫର୍ମ-୬ରୁ ହଟିଲା ୨୦୦୨ ଭୋଟର ତାଲିକା ସମ୍ପର୍କିତ ଅତିରିକ୍ତ ଘୋଷଣାନାମା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ନୂତନ ଓ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ନାଗରିକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର । ଭୋଟର ତାଲିକାରେ ନାମ ସାମିଲ ପ୍ରକ୍ରିୟାକୁ ଆହୁରି ସରଳ କରିଛନ୍ତି ଭାରତ ନିର୍ବାଚନ ଆୟୋଗ । ଏଣିକି ଫର୍ମ-୬ ଦାଖଲ ସମୟରେ ୨୦୦୨ ମସିହାର ଭୋଟର ତାଲିକା ସମ୍ପର୍କିତ ଅତିରିକ୍ତ ଘୋଷଣାନାମା ଦାଖଲ କରିବାକୁ ପଡ଼ିବ ନାହିଁ । ନିକଟରେ ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ସମାପ୍ତ ହୋଇଥିଲେ ମଧ୍ୟ ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ ହୋଇପାରିନାହିଁ, ସେମାନଙ୍କ ପାଇଁ ପଞ୍ଜୀକରଣର ସୁଯୋଗ ଖୋଲା ରହିଛି । ସେମାନେ ଏବେ ସାଧାରଣ ପ୍ରକ୍ରିୟାରେ ଫର୍ମ-୬ ମାଧ୍ୟମରେ ନାମ ସାମିଲ ପାଇଁ ଆବେଦନ କରିପାରିବେ । ନୂତନ ବ୍ୟବସ୍ଥା ଅନୁଯାୟୀ, ଏସ୍‌ଆଇଆର୍‌ ସମୟରେ କୌଣସି ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିଥିଲେ, ପୁନର୍ବାର ନାମ ସାମିଲ ପାଇଁ ଆବେଦନ କରିବାବେଳେ ୨୦୦୨ ମସିହାର ଭୋଟର ତାଲିକାରେ ନିଜ ନାମ କିମ୍ବା ପିତାମାତା, ଜେଜେବାପା-ଜେଜେମାଆଙ୍କ ନାମ ଥିବା ସମ୍ପର୍କିତ ଅତିରିକ୍ତ ପ୍ରମାଣ ବା ଘୋଷଣାନାମା ଦେବାକୁ ହେବ ନାହିଁ । ଫଳରେ ନାମ ପଞ୍ଜୀକରଣ ପ୍ରକ୍ରିୟା ଆହୁରି ସରଳ ହେବ ବୋଲି ଆଶା କରାଯାଉଛି । ତେବେ ଫର୍ମ-୬ ଦାଖଲ କରିଦେଲେ ମାତ୍ର ନାମ ସ୍ୱୟଂକ୍ରିୟ ଭାବେ ଭୋଟର ତାଲିକାରେ ସାମିଲ ହେବ ନାହିଁ । ତାଲିକାର ଶୁଦ୍ଧତା ଓ ସ୍ୱଚ୍ଛତା ବଜାୟ ରଖିବାକୁ ଆବେଦନପତ୍ରରେ ଦିଆଯାଇଥିବା ତଥ୍ୟ ଓ ଆବଶ୍ୟକ ଦସ୍ତାବିଜର ଯାଞ୍ଚ ପୂର୍ବଭଳି ଜାରି ରହିବ । ଯାଞ୍ଚ ପରେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ସମ୍ପୃକ୍ତ ନିର୍ବାଚନ କର୍ତ୍ତୃପକ୍ଷ ନାମ ସାମିଲ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । କନ୍ଧମାଳ ଜିଲ୍ଲାର ସମସ୍ତ ଯୋଗ୍ୟ ନାଗରିକ ଏହି ସୁଯୋଗର ସଦୁପଯୋଗ କରି ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.