
- କାରଖାନା ମାଲିକଙ୍କ ବିରୋଧରେ ଅପରାଧିକ ମାମଲା
- ଶ୍ରମ ଯୋଗାଣକାରୀ ଗିରଫ
- କାରଖାନା ସିଲ୍
- ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ
- ଶିଳ୍ପ ସୁରକ୍ଷା ଓ ଶ୍ରମ ଆଇନ ଉଲ୍ଲଙ୍ଘନର ମିଳିଛି ପ୍ରମାଣ
ନୂଆଦିଲ୍ଲୀ/ଭୁବନେଶ୍ୱର, (କେପିଏନ୍ଏସ୍) : ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ବିଶେଷ ଦୁର୍ବଳ ଜନଜାତିର ୧୪ ଜଣ ମହିଳା ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲାସ୍ଥିତ ସେଣ୍ଟ ପିଟର ଆଣ୍ଡ ପଲ୍ ସି-ଫୁଡ୍ ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ଘଟଣାରେ ପୂର୍ବତନ ରାଜ୍ୟସଭା ସାଂସଦ ଡଃ ନିରଞ୍ଜନ ବିଶିଙ୍କ ଦୃଢ଼ ହସ୍ତକ୍ଷେପ ପରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଆୟୋଗ ତାଙ୍କୁ ସୂଚନା ଦେଇଛନ୍ତି ଯେ, ତାମିଲନାଡୁ ସରକାର ଏହି ଘଟଣା ସମ୍ପର୍କିତ ବିସ୍ତୃତ ଆକ୍ସନ ଟେକେନ୍ ରିପୋର୍ଟ ଦାଖଲ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଡଃ. ନିରଞ୍ଜନ ବିଶି ୧୨ ଜୁଲାଇ ୨୦୨୬ ତାରିଖରେ ଏନ୍ସିଏସ୍ଟିଙ୍କ ନିକଟରେ ସ୍ମାରକପତ୍ର ଦାଖଲ କରି ଉଚ୍ଚସ୍ତରୀୟ ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ, ପୀଡ଼ିତ ପରିବାରଙ୍କୁ ଯଥୋଚିତ କ୍ଷତିପୂରଣ ଓ ସ୍ଥାୟୀ ପୁନର୍ବାସ ସହ ବିପଦପୂର୍ଣ୍ଣ ଶିଳ୍ପରେ କାର୍ଯ୍ୟରତ ଆଦିବାସୀ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ଆୟୋଗଙ୍କ ନିର୍ଦ୍ଦେଶ ପରେ ତିରୁଭାଲ୍ଲୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ, କାରଖାନାର ମାଲିକ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି । ଅବୈଧ ଭାବେ ଶ୍ରମିକ ଯୋଗାଣ କରୁଥିବା ଜଣେ ଏଜେଣ୍ଟଙ୍କୁ ଗିରଫ କରାଯାଇଛି । ମୃତକ ଓ ଆହତମାନଙ୍କ ଜନଜାତି ପ୍ରମାଣପତ୍ର ଯାଞ୍ଚ କରାଯାଉଛି, ଯାହା ଫଳରେ ଆବଶ୍ୟକ ହେଲେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ, ୧୯୮୯ର ବ୍ୟବସ୍ଥା ପ୍ରୟୋଗ କରାଯିବ । ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ମୃତକଙ୍କ ପରିବାରକୁ ତୁରନ୍ତ ଅନୁଗ୍ରହ ସହାୟତା ପ୍ରଦାନ କରାଯାଇଛି, ମୃତଦେହଗୁଡ଼ିକୁ ସମ୍ମାନର ସହ ନିଜ ଗ୍ରାମକୁ ପଠାଯାଇଛି, ଆହତ ଶ୍ରମିକମାନଙ୍କୁ ଉଚିତ ଚିକିତ୍ସା ଯୋଗାଇ ଦିଆଯାଇଛି ଏବଂ ଅନ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ନିଜ ରାଜ୍ୟକୁ ଫେରାଇ ଦିଆଯାଇଛି । ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ମଧ୍ୟ ଚାଲିଛି । ଜିଲ୍ଲା ଶିଳ୍ପ ସୁରକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ତଦନ୍ତରେ କାରଖାନାରେ ଆମୋନିଆ ପାଇପ୍ ଓ ଭାଲ୍ଭର ନିୟମିତ ରକ୍ଷଣାବେକ୍ଷଣର ଅଭାବ, ସ୍ୱୟଂଚାଳିତ ଗ୍ୟାସ ଲିକ୍ ଚିହ୍ନଟ ବ୍ୟବସ୍ଥା ନଥିବା, ଜରୁରୀକାଳୀନ ସୁରକ୍ଷା ସାମଗ୍ରୀର ଅଭାବ ଏବଂ ଶ୍ରମ ଓ କାରଖାନା ଆଇନର ଗୁରୁତର ଉଲ୍ଲଙ୍ଘନ ହୋଇଥିବା ସ୍ପଷ୍ଟ ହୋଇଛି । ଏହାପରେ ଜିଲ୍ଲା ପ୍ରଶାସନ କାରଖାନାକୁ ସିଲ୍ କରି ବନ୍ଦ କରିଥିବା ବେଳେ ତାମିଲନାଡୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାରଖାନା ବନ୍ଦ ସହ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଡଃ. ନିରଞ୍ଜନ ବିଶି କହିଛନ୍ତି ଯେ, ଏନ୍ସିଏସ୍ଟି ଓ ତାମିଲନାଡୁ ସରକାରଙ୍କ ତ୍ୱରିତ ପଦକ୍ଷେପ ସ୍ୱାଗତଯୋଗ୍ୟ । କିନ୍ତୁ ପ୍ରକୃତ ନ୍ୟାୟ ସେତେବେଳେ ସୁନିଶ୍ଚିତ ହେବ, ଯେତେବେଳେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ମିଳିବ, ପୀଡ଼ିତ ପରିବାରଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ସ୍ଥାୟୀ ପୁନର୍ବାସ ପ୍ରଦାନ କରାଯିବ ଏବଂ ଦେଶବ୍ୟାପୀ ବିପଦପୂର୍ଣ୍ଣ ଶିଳ୍ପରେ କାର୍ଯ୍ୟରତ ଆଦିବାସୀ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ପାଇଁ ଏକ ପ୍ରଭାବଶାଳୀ ଜାତୀୟ ସୁରକ୍ଷା ବ୍ୟବସ୍ଥା ଗଠନ କରାଯିବ । ସେ ଆହୁରି କହିଛନ୍ତି ଯେ, “୧୪ ଜଣ ଜୁଆଙ୍ଗ ପିଭିଟିଜି ମହିଳାଙ୍କର ଅକାଳ ମୃତ୍ୟୁ ସମଗ୍ର ଦେଶ ପାଇଁ ଏକ ଚେତାବନୀ । ଆଦିବାସୀ ପ୍ରବାସୀ ଶ୍ରମିକଙ୍କ ଜୀବନ, ସୁରକ୍ଷା ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଦାୟିତ୍ୱବାନ ହେବା ଆବଶ୍ୟକ । ପୀଡ଼ିତଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିବା ପର୍ଯ୍ୟନ୍ତ ମୋର ପ୍ରୟାସ ଓ ସଂଗ୍ରାମ ଜାରି ରହିବ ବୋଲି ପୂର୍ବତନ ଶ୍ରୀ ବିଶି ପ୍ରକାଶ କରିଛନ୍ତି ।