
- ଦୁଇ ଦେଶୀ ବନ୍ଧୁକ ଜବତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଧୀନ ସାପେରି ଗ୍ରାମରେ କାମଦେବ ମାଝୀ (୩୩) ଙ୍କୁ ଶିକାର କରିବାକୁ କହି ଘରୁ ଡାକି ଗୁଳି କରି ହତ୍ୟା କରାଯାଇଥିବା ଘଟଣାରେ ବାଲିଗୁଡା ଏସଡିପିଓ ଶୁଭମ ଭୋଶଲେ ଓ ବେଲଘର ଥାନା ଅଧିକାରୀ ସୌମ୍ୟରଞ୍ଜନ ପତିଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପୂର୍ବ ଶତ୍ରୁତା ଓ ଝଗଡା ହେଉଛି ହତ୍ୟାର ମୁଖ୍ୟ କାରଣ । ଜମିଜମା, ସମ୍ପତି ଓ ପରକୀୟ ପ୍ରୀତିରୁ ହତ୍ୟା ଘଟଣାକୁ ନେଇ ଏଭଳି ହୋଇନଥିବା କହିଛନ୍ତି । କିନ୍ତୁ ଏହି ଅଭିଯୋଗ ସମ୍ପର୍କରେ ମଧ୍ୟ ତଦନ୍ତ ଜାରି ରହିବ ବୋଲି କହିଛନ୍ତି । କାମଦେବ ମାଝୀଙ୍କ ସ୍ତ୍ରୀ ଚୁମୁକି ମାଝିଙ୍କ ଏତଲା ଆଧାରରେ ବେଲଘର ଥାନା କେସ ନମ୍ବର ୩୯/୨୬ ଦଫା ୧୦୩(୧)/୩(୫)/ବିଏନଏସ ସହ ୨୫/୨୭ ଆର୍ମ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା । ସ୍ତ୍ରୀର ବୟାନ ପ୍ରକାରେ ଅଭିଯୁକ୍ତ ମାନେ ସ୍ଵାମୀକୁ ଶିକାର କରିବା ବାହାନାରେ ଘରୁ ଡାକି ନେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସ୍ଵାମୀର ମୃତ ହୋଇଥିବା ସୂଚନା ଦେଇଥିଲେ ବୋଲି କହିଛନ୍ତି । ଏହା ପରେ ପୁଲିସ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଲିପଟୁ ମାଝୀ ଓ ମଧୁସୂଦନ ମାଝୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରି କୋର୍ଟଚାଲାଣ କରିଛି । ଏହି ମାମଲାରେ ବୈଜ୍ଞାନିକ ଓ ବୈଷୟିକ ପ୍ରମାଣ ସଂଗ୍ରହ କରି ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ବାଲିଗୁଡା ଏସଡିପିଓ ଶୁଭମ ଭୋଶଲେ ।