csstore

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବରଗଡ଼ ଜିଲ୍ଲା ଗସ୍ତ

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ନିର୍ମାଣାଧିନ ପ୍ରକଳ୍ପକୁ ବୁଲି ଦେଖିବା ସହ ଡେବ୍ରିଗଡ ଅଭୟାରଣ୍ୟ ମଧ୍ୟରେ ଥିବା ବାରବଖରା ଇକୋ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି ସେଠାରେ ବାରବଖରା ଜଳ ପ୍ରପାତ ଓ ଗୁମ୍ଫା ନିକଟରେ ସ୍ୱାଧୀନତା ସଂଗ୍ରାମୀ ସହୀଦ ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର୍‌ ବାରବଖରାଠାରେ ନିର୍ମିତ ଏହି ସ୍ମାରକୀ ଓ ଇକୋ ପାର୍କକୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହା ଦ୍ୱାରା ଏ ଅଞ୍ଚଳର ଲୋକମାନଙ୍କ ପାଇଁ ପର୍ଯ୍ୟଟନ ସମ୍ପର୍କିତ ଅର୍ଥନୈତିକ ବିକାଶ ହେବ ବୋଲି ସେ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ୧ କୋଟି ୭୫ ଲକ୍ଷ ୬୭ ହଜାର ଟଙ୍କା ବ୍ୟୟରେ ନିର୍ମାଣାଧିନ ଏହି ସ୍ମାରକୀ ସ୍ଥଳୀ ଓ ଇକୋ ପାର୍କ ସହ ଭୋଜନାଳୟ, ଶୌଚାଳୟର ପରିଚାଳନା ରକ୍ଷଣାବେକ୍ଷଣ ଦାୟିତ୍ଵ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନଙ୍କ ଦ୍ଵାରା ସମ୍ପାଦିତ ହେବ । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁ ପ୍ରଜ୍ଞା ଦାଶ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ମାରକୀ ନିର୍ମାଣ କାର୍ଯ୍ୟ ପାଇଁ ଦାୟିତ୍ଵ ନେଇଥିବା ସ୍ଥାପତ୍ୟ ଶିଳ୍ପୀ ଅମୂଲ୍ୟ ଭୋଇ, ଐତିହାସିକ ତଥା ସାମ୍ବାଦିକ ଦୀପକ ପଣ୍ଡା ଓ ବୈଷ୍ଣବ ଭୋଇଙ୍କୁ ସମ୍ମାନିତ କରାଯାଇଥିଲା ।

jayashree
Leave A Reply

Your email address will not be published.