ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଲିଗୁଡ଼ା ଥାନା ଅଧିନସ୍ଥ ମହାସିଙ୍ଗି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ୧୪୫ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ବାଡ଼କୁ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ୍ । କନ୍ଧମାଳ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଏସ୍ଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅଞ୍ଚଳରେ ଜାରି ରହିଛି ଅପରେଶନ ନୀଳ ଜହର । ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ବାଲିଗୁଡ଼ା ଥାନା ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୧୮୨୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛ କାଟି ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରାଗଲାଣି । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୮୨ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣରେ ରୋକ ଲଗାଇବାକୁ ଏହି ପଦକ୍ଷେପ ଗ୍ରହଣ କରିଛି କନ୍ଧମାଳ ପୋଲିସ । ଆଗାମୀ ଦିନରେ ମଧ୍ୟ ବାଲିଗୁଡ଼ାର ଥାନା ଅଞ୍ଚଳରେ ଏହି ଅପରେଶନ ଜାରି ରହିବ ଏବଂ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
Next Post