ତେନ୍ତୁଳିଖୁଣ୍ଟି ଗଣେଶ ଭସାଣୀରେ ଅଘଟଣ

  • ଜେନେରେଟରର ବିଦ୍ୟୁତ୍ ଆଘାତରେ ନୁଆପଡ଼ା ଜିଲ୍ଲାରୁ ଆସିଥିବା ମେଲୋଡି ପାର୍ଟିର ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ
  • ଥାନାରେ ଅପମୃତ୍ୟୁ ମାମଲା ରୁଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ଗଣେଶ ପୂଜା ଭସାଣୀ ଶୋଭାଯାତ୍ରାରେ ଅଘଟଣ ଘଟିଛି । ଭସାଣୀରେ ବାଜା ବଜାଇବାକୁ ଆସିଥିବା ସୁଦୂର ନୂଆପଡା ଜିଲ୍ଲା ରାଜଖଡ଼ିଆଳ ଥାନା ବରଗାଁ ଗ୍ରାମର ତରୁଣ ମେଲୋଡ଼ି ପାର୍ଟିର ଗୋବର୍ଦ୍ଧନ ଶବରଙ୍କ ପୁଅ ରାକେଶ ଶବର (୨୬)ଙ୍କ ଜେନେରେଟରର ବିଦ୍ୟୁତ୍ ଆଘାତରେ ଶୋଚନୀୟ ମୃତ୍ୟୁ ଘଟିଥିବା ଭଳି ଦୁଃଖଦ ଘଟଣା ଘଟିଛି । ତେନ୍ତୁଳିଖୁଣ୍ଟି ଗ୍ରାମର ପୁଟେଲପଡ଼ାରେ ଅନୁଷ୍ଠିତ ଗଣେଶ ପୂଜା ଭସାଣୀ ପାଇଁ ନୂଆପଡା ଜିଲ୍ଲା ରାଜଖଡ଼ିଆଳ ଥାନା ବରଗାଁ ଗ୍ରାମର ତରୁଣ ମେଲୋଡ଼ି ପାର୍ଟିର ୨୫ରୁ ଅଧିକ ଯୁବକ ଡିଜେ ସହ ବାଜା ବଜାଇବାକୁ ଆସିଥିଲେ । ଭସାଣୀ ସରିବା ପରେ ମଧ୍ୟ କେତେକଙ୍କ ଅନୁରୋଧରେ ମେଲୋଡ଼ି ଦଳର ସଦସ୍ୟମାନେ ପୁଣି ଥରେ ବାଜା ବଜାଇବାକୁ ଯିବା ବେଳେ ଜେନେରେଟର ଚଳାଇବାକୁ ଡିଜେ ଗାଡ଼ି ଉପରକୁ ଯାଇଥିବା ରାକେଶ ବିଦ୍ୟୁତ୍ ଆଘାତ ପାଇ ସେଠାରେ ହିଁ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଅନ୍ୟମାନେ ଉଦ୍ଧାର କରି ଟିଟିଲାଗଡ ମେଡ଼ିକାଲ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମୁରିବାହାଲ ଥାନା ପୁଲିସ ଏଏସ୍‌ଆଇ ରବୀନ୍ଦ୍ର କୁମ୍ଭାର ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏ ସମ୍ପର୍କରେ ଥାନାରେ ଅପମୃତ୍ୟୁ କେସ୍‌ ନଂ ୧୮/୨୪ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.