ରୋଗୀ ପାଇଁ କଷ୍ଟ ଦେଉଛି ରାସ୍ତା, ଗଡୁନି ଆମ୍ବୁଲାନ୍ସ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ତାଲବେଡା ଗ୍ରାମର ରୋଗୀ ତରଙ୍ଗିନୀ ବଗର୍ତ୍ତୀଙ୍କୁ ଆଣିବାକୁ ଯାଇ ବାଟରେ ଅଟକିଲା ଆମ୍ବୁଲାନ୍ସ । ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ୮ଟା ସମୟରେ ରୋଗୀକୁ ହସପିଟାଲ ନେବା ପାଇଁ ଯାଉଥିବା ବେଳେ କୋଡିବାହାଲି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ମହାବନ୍ଧ ନିକଟରେ ଆମ୍ବୁଲାନ୍ସ ଆଗକୁ ଯାଇ ନପାରି ଅଟକି ରହିଥିଲା । ସ୍ବାମୀ ସମ୍ପଦ ବଗର୍ତ୍ତୀଙ୍କୁ ରୋଗୀ ଆଣିବାରେ ଅସୁବିଧା ହେବା ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଟିଏମଟି ପ୍ରକାଶ ଖଟୁଆ ଏବଂ ସହଯୋଗୀ ମୃତ୍ୟୁଞ୍ଜୟ ବାଘ ରୋଗୀ ଆଣିବାରେ ସହଯୋଗ କରିଥିଲେ । ପ୍ରାୟ ୨.୫କିମି ପର୍ୟ୍ୟନ୍ତ ଷ୍ଟ୍ରେଚର ସହାୟତାରେ ରୋଗୀ ବହୁ କଷ୍ଟରେ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ପ୍ରଶଂସନୀୟ କାମ ବିଷୟରେ ଜାଣିବା ପରେ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି । ଏହା ପୂର୍ବରୁ ବରଗାଁ ପଞ୍ଚାୟତର ମଲିକୁଦ, ସାହାଜପିଟା, ସୌରିବେଙ୍ଗେସ ଆଦି ବିଭିନ୍ନ ରାସ୍ତାରେ ଆମ୍ବୁଲାନ୍ସ ରୋଗୀକୁ ନେବାକୁ ଯିବା ସମୟରେ ରାସ୍ତା ବାଧକ ସାଜିଥିବା ଦେଖିବାକୁ ମିଳିଥିଲା । ଉପଯୁକ୍ତ ଭାବରେ ରାସ୍ତାର ରକ୍ଷଣା ବେକ୍ଷଣ ନହେବା ଯୋଗୁଁ ଏପରି ସମସ୍ୟା ଦେଖା ଦେଉଥିବା ଜଣାଯାଇଛି ।

Leave A Reply

Your email address will not be published.