କବିତା : ଦୁଃଖ – ଦ୍ୟୁଲୋକ

ବିଜୟ ରାୟ

ନାଁ ଟିଏ ଦେଇ ହେଲାନି
ଦୁଃଖର !

କୋଳାହଳକୁ
ଅପେକ୍ଷା ଥାଉ ଭାରି ପାଦର
ଏଇ କିଛି କ୍ଷଣର ଅବଧି ମାତ୍ର
ନୀରବତାର !

ସ୍ରୋତର ଅନୁକୂଳରେ
ବହିଯିବା ସହଜ ହେଇପାରେ
ରଞ୍ଜାର ସାହାରାରେ
ଲତାଟିଏ ପରି ମାଡ଼ିଯିବା
ସହଜ ହେଇପାରେ
ପଛୁଆ ପବନର ହାତ ଠେଲାରେ
ଚଢାଇ ଚଢିବା
ସହଜ ହେଇପାରେ !
ଦର୍ପଣକୁ କୋଉ ଠକି ହେଇଛି
କିଏ ବୋଲି ମୁଁ କୋଉ
ପଚାରି ହେଇଛି
ଅନ୍ଧାର ଗାରେକୁ
କଜ୍ଜଳ କରି ଆଖିରେ
ପ୍ରପାତେ ସ୍ଵଚ୍ଛତାକୁ କୋଉ
ଫାଙ୍କି ହେଇଛି ?

ମୁଠେ କନ୍ତୁରୁ
ଶବ୍ଦ ମୁଠେଇ ମୁଠାରେ
ସମୟକୁ ମୋର ବୋଲି କହିବା..
ଯିଏ ମୁହୂର୍ତ୍ତେ ସମୟର
ନଖ ଦର୍ପଣ ବି ନୁହଁ,
ଯୁଗ ଟିଏର
କୋଉ ବିନ୍ଦୁରେ ନେଇ ଆଙ୍କିବା ?

ଛାତିରେ କେତେବେଳ ଖୋଦା ହେଲା
ପ୍ରାଚୀନ କ୍ଷତ
କାନ୍ଧରେ କେତେବେଳେ ଝୁଲିଲା
ପରିଚୟର ଶବ
ବୁଝି ହେଲାନି ସେ କାହାଣୀର ରହସ୍ୟ !

ଜାଣି ହେଲାନି
କେତେବେଳେ ଧ୍ୱନି ପାଇଁ
ପ୍ରତିଧ୍ଵନି ଖୋଜା ପଡିଲା
ମାଳରେ ସମତଳରେ
ବଡ କାକୁସ୍ଥ ମୁଦ୍ରାରେ
କେତେବେଳେ ଲେଖା ଗଲା
ଯୋଖା ଗଲା ନିଜ ନିଜ ନାଁ
ବାଲିରେ, ପଥରରେ !

ନାଆଁ ବୋଇଲେ
ଗୋଟା ମତେ
ସରୁ ଗଳିର ସମ୍ପର୍କ !

ବାଲି ଆଡ଼େଇ କେବେ
ଅଭ୍ର ଛାଣି ଥାନ୍ତ କି
ଭୋକକୁ ଭାତ କରିବା ପାଇଁ
ପେଟରେ !
ପାହାଡରୁ ପଥର
ହେଇଥାନ୍ତ କି କେବେ…
ପାଣି ଟୋପେର ଶୋଷ ପାଇଁ
ତଣ୍ଟିରେ !
ଜାଣିଥାନ୍ତ…
ମୁଠେ ସମୟକୁ
ମୋର ମୋର କହି
କେମିତି ରାତିରେ ରାତିରେ
ଝଡି ପଡେ ଗଙ୍ଗଶିଉଳି
ଯୁଗପତ୍ କରିବାକୁ ଜୀବନ
ଏଇ ମାଟି ଉପରେ ବହେ
କେତେ ରକ୍ତ
କେତେ ଶିଉଳି !

ଭଲ ପାଇବାର ଯୋଉ
ଚତୁର ଉପସ୍ଥାପନା
ଗତକାଲି ର
ଉଧୁ ଲଙ୍ଗଳା ଆଖିରେ ଆଜି
ଅଜସ୍ର ପରାଗ
ଗତକାଲି
ଓଠ ତଳେ ଯୋଉ
ଅବୋଧ୍ୟ ଅଭିସାର
ବହିଯାଉଛି ହେଇ ଆଜି
ଗୋଟେ ହେମ ଶୀତଳ ଝର !
ଗତକାଲି ତୁଣ୍ଡର ତାଣ୍ଡବରେ
ବାଘ ବାଘ ବୋଲି ଯୋଉ
ଫିସାଦିଆ ଡାକ
ଆଜି ନଗ୍ର ନକ୍ସାରେ ଗୋଟେ
ପ୍ରପଂଚ ଉଚ୍ଚାରଣ!
ଗତକାଲି ଯୋଉ ଦୁଃଖ
ରୁଟ୍ ରୁଟ୍ କରି
କାଟି ପକାଉଥିଲା କଲିଜା
ଆଜି ଆହୁରି ଆହୁରି
ସଶକ୍ତ କରୁଛି ପାଦ ତଳର ଚଟାଣ!!

କୋଉ ଗଛ
ଉଧେଇ ଥାଏ ସହଳ
କୋଉ ମଞ୍ଜି ପୋତୁ ପୋତୁ
ଭେଟେ ଉଆଁସ
କୋଉ ଲୁହ
ହୋ ‘ହୋ’ ହେଇ ନାଚେ
ଆଖିରେ
କୋଉ ଦୁଃଖ
ଠୋ’ ଠୋ’ ହେଇ ହସେ
ମୁହଁରେ!

ଇମିତି କିଏ ଅଛି ହେ କୋଉଠି ?
ଯିଏ ଦେହ ଦାହରେ
କେବେ ନ ଯାଇ
ଏକା ଥରେ ଓହ୍ଲାଇ ପଡ଼ିଛି
ଆତ୍ମା ରେ !!

ବି /୩୯୩, କୋଏଲ ନଗର
ରାଉରକେଲା – ୭୬୯୦୧୪
ମୋ.ନଂ. : ୬୩୭୦୦୬୩୭୨୩

Leave A Reply

Your email address will not be published.