ସର୍ବ ଭାରତୀୟ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓ ସ୍ମାରକୀ ଫୁଟବଲ

  • ଫୁଲବାଣୀ ସ୍ପୋର୍ଟ୍ସ ହଷ୍ଟେଲକୁ ହରାଇ କୁଚିଣ୍ଡା ବିଏଫ୍‌ସି ଫାଇନାଲରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସର୍ବଭାରତୀୟ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ସେମି ଫାଇନାଲ କୁଚିଣ୍ଡା ବିଏଫ୍‌ସି ବନାମ ଫୁଲବାଣୀ ସ୍ପୋର୍ଟ୍ସ ହଷ୍ଟେଲ ଖେଳ ୧-୧ ଗୋଲରେ ଡ୍ର ରହିଥିଲା । ଟ୍ରାଇବ୍ରେକର ୩-୧ ଗୋଲରେ କୁଚିଣ୍ଡା ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି । ବଲାଙ୍ଗିର ବିଧାୟକ ତଥା ଟୁର୍ଣ୍ଣାମେଣ୍ଟ କମିଟି ସଭାପତି କଳିକେଶ ନାରାୟଣ ସିଂହ ଦେଓଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ ବରଗଡ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ତଥା ଦର୍ଶକମାନଙ୍କୁ ଉତ୍ସାହିତ କରିଥିଲେ । ଖେଳରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠି, ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲ, ଯୁବ ନେତା ମନ୍ମଥ ନାରାୟଣ ସିଂହ ଦେଓ, କ୍ରିଡାବିତ୍‌ ତଥା ଯୁବନେତା ଅଜୟ ଦାସ, କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କ ଫୁଟବଲ ଖେଳ ଅବଦାନ ପ୍ରତି ଉଦ୍‌ବୋଧନ ଦେଇଥିଲେ । ଖେଳକୁ ସଂଜନ କୁଦେଇ, ଦୋଳ ଗୋବିନ୍ଦ ମୁଣ୍ଡା, ଦେବାଶିଷ ବାଗ, ସଂଜିବ ମହାରଣା ପରିଚାଳନା କରିଥିଲେ । ଖେଳରେ କୁଚିଣ୍ଡା ଦଳର ଗୋଲ କିପର ଅମିତ କୁଜୁର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ଅର୍ଜନ କରି ୨ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା । ମଂଚାସିନ ଅତିଥିମାନଙ୍କ ମଧ୍ୟରେ ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର, କ୍ରୀଡା ସଂସଦର ସାଧାରଣ ସଂପାଦକ ହରି ନାରାୟଣ ପୂଜାରୀ, ପ୍ରତିଯୋଗିତାର କାର୍ଯ୍ୟକାରୀ ସଭାପତି ବିଧୂଭୂଷଣ ତ୍ରିପାଠୀ, ଉପ-ସଭାପତି ଶମ୍ଭୁ ପ୍ରସାଦ ନାଗ, ସଂପାଦକ ସାଗର ସଂଗମ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । କ୍ରୀଡା ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିବା ବେଳେ ଜିଲ୍ଲା କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା ମଂଚ ସଂଚାଳନ କରିଥିଲେ । ୨୯ ତାରିଖ ଠାରୁ ପ୍ରତ୍ୟେକ ଦର୍ଶକଙ୍କ ନିମନ୍ତେ କମିଟି ତରଫରୁ ମାଗଣା ଲଟେରି ପ୍ରଦାନ କରାଯିବ ଏବଂ ପ୍ରତିଦିନ ଗୋଟିଏ ବିଜେତାଙ୍କୁ ଦୈନିକ ଉପହାର ଦିଆଯିବ । ଗୁରୁବାର ଦିନ ରୋଭର୍ସ ଏଫ୍‌ସି ଭିଲାଇ ବନାମ ରାମଧୁନ କ୍ଲବ ସୋନପୁର ମଧ୍ୟରେ ଖେଳ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.