csstore

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଭାରତୀୟ ତଟରକ୍ଷୀ ବାହିନୀ, (ଗୋପାଳପୁର) ମିଳିତ ସହଯୋଗରେ ଶୁକ୍ରବାର ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସୁଶାନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ତଟରକ୍ଷୀ ବାହିନୀର ବି. ସଞ୍ଜୀବ, ଜୟ ନିୟୋଗ, ଏସ୍‌.କେ. ମନ୍‌ଥା, ହରପାଲ ସିଂ ପ୍ରମୁଖ ଗଣ୍ୟମାନ୍ୟ ପଦାଧିକାରୀ ଯୋଗଦେଇ ଦୁର୍ନୀତି ନିବାରଣ ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ୱ ସଂପର୍କରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଏଥି ସହିତ କେଉଁ କେଉଁ ସ୍ଥାନରେ ଦୁର୍ନୀତିର ପ୍ରାରମ୍ଭ ହେଉଛି ଏବଂ ଦୁର୍ନୀତିର ମୂଳଉତ୍ପାଟନ କିପରି କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏଥି ସହିତ ଦୁର୍ନୀତି ବିରୁଦ୍ଧରେ ଆଜିର ଯୁବ ସମାଜ ସ୍ୱର ଉତ୍ତଳନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନିଜ ବକ୍ତବ୍ୟରେ ଶିକ୍ଷାର ବିକାଶ ସହିତ ଦୁର୍ନୀତି ମୁକ୍ତସମାଜ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମାକୁ ବିସ୍ତୃତ କରିବା ସହିତ ତାର ଭବିଷ୍ୟତକୁ ସୁଦୃଢ କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହିତ ଦୁର୍ନୀତି ଠାରୁ ଆଜିର ଯୁବପିଢି କେଉଁପରି ଭାବରେ ଦୂରେଇ ରହିବେ ସେ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ଶେଷରେ ତଟରକ୍ଷୀ ବାହିନୀର ଅଫିସର, ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମଳିତ ଭାବରେ ଦୁର୍ନୀତିରୁ କିପରି ଦୂରେଇ ରହିବା ଏବଂ ଏ ବିଷୟରେ ଅନ୍ୟକୁ ସଚେତନ କରିବା ପାଇଁ ଶପଥ ପାଠ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଏନ୍‌ସିସି ଅଫିସର ଡ. ଇମ୍‌ତିହାନ୍‌ ଶାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ସଭା ପ୍ରାରମ୍ଭରେ ଭାରତୀୟ ତଟରକ୍ଷୀ ବାହିନୀର ଅଫିସର ଏସ୍‌.କେ. ମାନ୍‌ଥା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଡ. ଇମ୍‌ତିହାନ୍‌ ଶାହା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.