jayashree

କାର ଚାଳକର ବେପରୁଆ ଗାଡ଼ି ଚାଳନା : ଦୁର୍ଘଟଣା ଘଟାଇ ଫେରାର୍ : ଦେବଦୂତ ସାଜି ଗୁରୁତର ବାଇକ୍ ଚାଳକଙ୍କ ଜୀବନ ବଞ୍ଚାଇଲେ ‘ସଂକଳ୍ପ ପରିବାର’ର ସଦସ୍ୟ

​ବରଗଡ଼, (ମୁନ୍ନା ସାହୁ) : ଦୁର୍ଘଟଣାଗ୍ରସ୍ତ ଜଣେ ଅସହାୟ ଯୁବକଙ୍କ ପାଇଁ ଦେବଦୂତ ସାଜିଛନ୍ତି ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସଂକଳ୍ପ ପରିବାର’ର ସଦସ୍ୟ । ନିଜର ଜୀବନ ବିକଳରେ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଗୁରୁତର ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇବା ସହ ଏକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସେମାନେ ସଫଳ ହୋଇଛନ୍ତି । ​ସୂଚନା ଅନୁଯାୟୀ, ଗତକାଲି ଦୁଇପହର ପ୍ରାୟ ୩ଟା ସମୟରେ ବରଗଡ଼ ଖଜୁରଟିକ୍ରା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏକ ଗମ୍ଭୀର ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ବେପରୁଆ କାର ଚାଳକ ଜଣେ ବାଇକ୍ ଚାଳକଙ୍କୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଶକ୍ତ ଥିଲା ଯେ ବାଇକ୍ ଚାଳକ ଯୁବକ ଜଣକ ପ୍ରବଳ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ଛଟପଟ ହେଉଥିଲେ । ତାଙ୍କର ଡାହାଣ ଗୋଡ଼ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ​ଦୁର୍ଘଟଣାର ଗାମ୍ଭୀର୍ଯ୍ୟକୁ ଦେଖି କାର ଚାଳକ ଜଣକ ଯୁବକଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଅତି ଚତୁରତା ସହ ଅମାନୁଷିକତା ପ୍ରଦର୍ଶନ କରିଥିଲେ । “ଗାଡ଼ିକୁ ସାଇଡ୍ କରୁଛି” ବୋଲି ବାହାନା କରି ସେ ସେଠାରୁ ଗାଡ଼ି ନେଇ ଫେରାର୍ ହୋଇଯାଇଥିଲେ । ​ଏହି ଦୁର୍ଘଟଣାର ଖବର ତୁରନ୍ତ ‘ସଂକଳ୍ପ ପରିବାର’ ପାଖରେ ପହଞ୍ଚିଥିଲା । ସୂଚନା ପାଇବା ମାତ୍ରେ ବିନା କୌଣସି ବିଳମ୍ବରେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ଚିନ୍ମୟ ପାଣ୍ଡେ ଓ ଅମର କୁମାର ତୁରନ୍ତ ନିଜର ବ୍ୟକ୍ତିଗତ କାର୍‌ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ନିଜ ଗାଡ଼ିରେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ତୁରନ୍ତ ଡାକ୍ତରଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଇବା ସହ ଆହତ ଯୁବକଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରି ସେମାନଙ୍କୁ ହସ୍ତାନ୍ତର କରିଥିଲେ । ଆହତ ଯୁବକ ଜଣକ ବରଗଡ଼ ବିଶିପଡ଼ାର ବାସିନ୍ଦା ଗଜପତି ସୁନାଙ୍କ ପୁଅ ଧୀରଜ ସୁନା (୩୨) ବୋଲି ଜଣାପଡ଼ିଛି । ତେବେ ତାଙ୍କ ମୁଣ୍ଡ ଏବଂ ଗୋଡ଼ର ଅବସ୍ଥା ଗୁରୁତର ଥିବାରୁ, ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ବୁର୍ଲା ଭିମସାରକୁ ରେଫର କରିଛନ୍ତି । ସଂକଳ୍ପ ପରିବାରର ସଦସ୍ୟଙ୍କ ଏଭଳି ତ୍ୱରିତ ଓ ମାନବୀୟ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଉଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ଫେରାର୍ ହୋଇଥିବା କାର ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.