
ପୁଇଁତଲା, (କେପିଏନ୍ଏସ୍) : ମାଲିକ କହୁଛି ଦୁର୍ଘଟଣା, ପରିବାର କହୁଛନ୍ତି ହତ୍ୟା । ଏଭଳି ଏକ ଅଭିଯୋଗ ହୋଇଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନାରେ । ସୋନପୁର ଜିଲ୍ଲା ତରଭା ଥାନା ଝାରତରଭା ଗାଁର ମାଲୁ ବାରିକ ନିଜ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ମାଲୁଙ୍କ ପୁଅ ପପୁ ବାରିକ ତରଭାର ଆଶିଷ ସାହୁଙ୍କ ସପନା ରାଣୀକା ଅପନା ଦୋକାନ ନାମକ ଇଲେକଟ୍ରୋନିକ୍ସ ଦୋକାନରେ କାମ କରୁଥିଲେ । ପପୁ ଦୋକାନକୁ ଆସିଥିବା ବେଳେ ଆଉ ଘରକୁ ଫେରିନଥିଲେ । ରାତିରେ ଦୋକାନ ମାଲିକ ପରିବାର ଲୋକଙ୍କୁ ଫୋନକରି ପପୁଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ଦେଇଥିଲେ । ତାପରେ ଆଉ ମାଲିକର ଦେଖାଦର୍ଶନ ନାହିଁ । ପରିବାର ଲୋକେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆସି ଦେଖିବା ବେଳକୁ ପୋଷ୍ଟମର୍ଟମ ୱାର୍ଡରେ ପପୁଙ୍କ ଶବ ରଖାଯାଇଛି । ପପୁ ବାଇକ ଚଲେଇ ଜାଣେ ନାହିଁ । କିନ୍ତୁ ମାଲିକ କହୁଛି ବାଇକରେ ବଲାଙ୍ଗିର-ସୋନପୁର ଟୋଲଗେଟ ନିକଟରେ ଦୁର୍ଘଟଣା ଘଟି ପପୁଙ୍କ ଜୀବନ ଯାଇଛି । କିନ୍ତୁ ସାଙ୍ଗରେ ଥିବା ଯୁବକ କୌଣସି ଆଘାତ ହୋଇନାହିଁ । ପପୁଙ୍କ ମୋବାଇଲ ସୁରକ୍ଷିତ ରହିଛି । କିନ୍ତୁ ବାଇକଟି ଭାଙ୍ଗି ଯାଇଛି । ତେଣୁ ହତ୍ୟା ପରେ ଦୁର୍ଘଟଣାର ରୂପ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଇଁତଲା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।