
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଶରୀର ଓ ମନର ସୁସ୍ଥତା ପାଇଁ ଯୋଗର ଗୁରୁତ୍ୱକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଡୁ ଉଦ୍ଘାଟନ କରିଥିଲେ । ନିଜ ଉଦବୋଧନରେ ସେ କହିଥିଲେ ଯେ, ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ଏକ ସୁସ୍ଥ ଓ ସମତୁଳିତ ଜୀବନଶୈଳୀର ମୂଳ ଆଧାର। ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ଶାରୀରିକ ଓ ମାନସିକ ସୁସ୍ଥତା ହାସଲ କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରସିଦ୍ଧ ଯୋଗ ଗୁରୁ ହରିଭାଇ ଆର୍ଯ୍ୟନ ଉପସ୍ଥିତ ରହି ବିଭିନ୍ନ ଯୋଗାସନ, ପ୍ରାଣାୟାମ ଓ ଧ୍ୟାନ ପ୍ରଣାଳୀର ପ୍ରଦର୍ଶନ କରିଥିଲେ । ସେ ଯୋଗର ଉପକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ପାଇଁ ସମସ୍ତଙ୍କୁ ପ୍ରେରିତ କରିଥିଲେ । ମହାବିଦ୍ୟାଳୟର ପ୍ରଶାସକ ମନୋଜ କୁମାର ତ୍ରିବେଦୀ ଓ ଅଧ୍ୟକ୍ଷ ପ୍ରଫେସର ଡା. ଜଗବନ୍ଧୁ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯୋଗ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ସେମାନେ ଛାତ୍ରଛାତ୍ରୀ ମାନଙ୍କୁ ସୁସ୍ଥ ଜୀବନ ପାଇଁ ଯୋଗକୁ ଅଭ୍ୟାସରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଯୋଗ ଶିବିରରେ ମହାବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ ।