jayashree

ବଲାଙ୍ଗିରରେ ଆଡମ୍ବର ସହକାରେ ପାଳିତ ହେଲା ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ

  • ଯୋଗ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବା ଆବଶ୍ୟକ : ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ବିଶ୍ୱ ସହିତ ବଲାଙ୍ଗିର ଜିଲ୍ଲାର ପଞ୍ଚାୟତସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଆଜି ଉତ୍ସାହ, ଉଦ୍ଦୀପନା ଓ ଭକ୍ତିପୂର୍ଣ୍ଣ ପରିବେଶରେ ସଫଳତାର ସହ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଏବଂ କ୍ରୀଡା ଓ ଯୁବସେବା ବିଭାଗର ସମ୍ମିଳିତ ପ୍ରୟାସରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଏକ ଭବ୍ୟ ଜିଲ୍ଲାସ୍ତରୀୟ ସମାରୋହ ଆୟୋଜିତ ହୋଇଥିଲା । ଏହି ବୃହତ୍‌ ଯୋଗ ଶିବିରରେ ବହୁ ସଂଖ୍ୟକ ଯୋଗପ୍ରେମୀ, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ । ଏହି ଭବ୍ୟ ସମାରୋହରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ । ନିଜର ଅଭିଭାଷଣରେ ସେ କହିଥିଲେ ଯେ, ଯୋଗ ହେଉଛି ଭାରତୀୟ ସଂସ୍କୃତିର ବିଶ୍ୱକୁ ସବୁଠାରୁ ବଡ଼ ଉପହାର । ଯୋଗ କେବଳ ବ୍ୟାୟାମ ନୁହେଁ, ବରଂ ମନ, ଶରୀର ଓ ଆତ୍ମାକୁ ସଂଯୋଗ କରିବାର ଏକ ମାଧ୍ୟମ । ସାମ୍ପ୍ରତିକ ବ୍ୟସ୍ତ ଜୀବନଶୈଳୀରେ ମାନସିକ ଚାପମୁକ୍ତ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅତ୍ୟନ୍ତ ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଜୀବନରେ ଯୋଗକୁ ଅବିଚ୍ଛେଦ୍ୟ ଅଂଶ କରିବା ଉଚିତ ବୋଲି ସେ ଉଲ୍ଲେଖ କରିଥିଲେ । ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ମୂଳ ବିଷୟ “ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ” ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ ଡା. ମହାଲିଙ୍ଗ କହିଥିଲେ ଯେ, ବୟସ ବଢ଼ିବା ସହିତ ଶରୀରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସହଜ ସମାଧାନ ଯୋଗ ଦ୍ୱାରା ସମ୍ଭବ । ଯୋଗାଭ୍ୟାସ ଦ୍ୱାରା ବୃଦ୍ଧାବସ୍ଥାରେ ମଧ୍ୟ ବ୍ୟକ୍ତି ସକ୍ରିୟ, ରୋଗମୁକ୍ତ ଓ ସୁଖମୟ ଜୀବନ ଅତିବାହିତ କରିପାରିବେ । ଏହି ଅବସରରେ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ସୂଚନା ଦେଇଥିଲେ ଯେ, ବଜେଟ ୨୦୨୬-୨୭ରେ ସରକାର ଗ୍ରାମାଞ୍ଚଳରେ ଯୋଗ ପ୍ରଶିକ୍ଷଣକୁ ଆହୁରି ବ୍ୟାପକ କରିବା ସହିତ ଲୋକଙ୍କୁ ଯୋଗ ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଯୋଗ ପ୍ରଶିକ୍ଷକ ନିଯୁକ୍ତି କରିବା ଓ ପାରିଶ୍ରମିକ ବୃଦ୍ଧି କରିବାର ବ୍ୟବସ୍ଥା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରଖ୍ୟାତ ଯୋଗଗୁରୁମାନଙ୍କ ତତ୍ତ୍ୱାବଧାନରେ ଅନ୍ତର୍ଜାତୀୟ ଯୋଗ ପ୍ରୋଟୋକଲ୍ ଅନୁସାରେ ଯୋଗାଭ୍ୟାସ କରାଯାଇଥିଲା । ପ୍ରାରମ୍ଭରେ ପ୍ରାର୍ଥନା ଓ ଶରୀର ଚାଳନା କରାଯାଇଥିଲା । ପରେ ଉପସ୍ଥିତ ଅତିଥି ଓ ଜନସାଧାରଣ ବଜ୍ରାସନ, ପଦହସ୍ତାସନ, ଶବାସନ, ବକ୍ରାସନ ଓ ଭୁଜଙ୍ଗାସନ ଭଳି ଗୁରୁତ୍ୱପୂର୍ଣ୍ଣ ଆସନର ଅଭ୍ୟାସ କରିଥିଲେ । ଶେଷ ପର୍ଯ୍ୟାୟରେ କପାଳଭାତି, ପ୍ରାଣାୟାମ, ସାମୂହିକ ଶପଥ ପାଠ ଓ ଧ୍ୟାନ ଦ୍ୱାରା ମନକୁ ଏକାଗ୍ର କରାଯାଇଥିଲା । ମନ୍ତ୍ରୀ ନିଜେ ମଞ୍ଚ ତଳେ ବସି ସମସ୍ତଙ୍କ ସହିତ ସମ୍ପୂର୍ଣ୍ଣ ସମୟ ଯୋଗାଭ୍ୟାସ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ବର୍ଗର ଲୋକେ ଏକାସଙ୍ଗେ ଯୋଗ କରି ଗାନ୍ଧୀ ଷ୍ଟାଡିୟମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଏହି ଜିଲ୍ଲାସ୍ତରୀୟ ସମାରୋହରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ତରଣୀ ସୁନା, ଜିଲ୍ଲା କ୍ରୀଡା ଅଧିକାରୀ ହରି ଓମ ଶମ୍ଭୁ ନାରାୟଣ ଦାସ, ବଲାଙ୍ଗିର ପୌରପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, କ୍ରୀଡ଼ା ଛାତ୍ରାବାସର ଅଧିକ୍ଷକ ପରାସର ବାଗ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝିଙ୍କ ସହିତ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଏନସିସି, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଯୋଗ ସଂସ୍ଥାର ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗ ଦିବସକୁ ସଫଳ କରିଥିବାରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ବଲାଙ୍ଗିର ସହରବାସୀଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.