jayashree

ଖପ୍ରାଖୋଲ ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ସହକାରୀ ଯନ୍ତ୍ରୀ ରାଜକିଶୋର ନାଏକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମିନିକେତନ ବରିହା, ଭି.ଏସ୍. ସ୍ଵପ୍ନେଶ୍ୱର ନାଏକଙ୍କ ସମେତ ବ୍ଲକର ବହୁ ଅଧିକାରୀ ଓ କର୍ମଚାରୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ । ଫୁଲକିମୁଣ୍ଡା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ମୁରଲୀଧର ମେହେର ଯୋଗ ପ୍ରଶିକ୍ଷକ ଭାବେ ଉପସ୍ଥିତ ରହି ସମସ୍ତଙ୍କୁ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ପ୍ରଶିକ୍ଷଣ ଦେଇଥିଲେ । ଏହା ସହିତ ଖପ୍ରାଖୋଲ ଅଗ୍ନିଶମ ବିଭାଗ, ରିଜର୍ଭ ପୋଲିସ ବାହିନୀ ଏବଂ ବ୍ଲକର କିଛି ପି.ଇ.ଟି. ଶିକ୍ଷକମାନେ ମଧ୍ୟ ଯୋଗଦେଇ ଯୋଗାଭ୍ୟାସ କରିଥିଲେ । ଏହି ଅବସରରେ ଯୋଗର ଗୁରୁତ୍ୱ ଏବଂ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଖପ୍ରାଖୋଲ ବ୍ଲକର ସାମ୍ବାଦିକ ଅଭୟ ତ୍ରିପାଠୀ, ଅଶୋକ କୁମାର ବାଗ, ଉମାକାନ୍ତ ପଧାନ, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ କହିଥିଲେ, ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ଶରୀର, ମନ ଓ ଆତ୍ମା ମଧ୍ୟରେ ସମନ୍ୱୟ ସ୍ଥାପନ କରିବାର ଏକ ଉତ୍କୃଷ୍ଟ ମାଧ୍ୟମ । ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କଲେ ଆମେ ନିରୋଗ ଓ ସକ୍ରିୟ ଜୀବନ ବିତାଇପାରିବା । ଶେଷରେ ସମସ୍ତ ଉପସ୍ଥିତ ଅଧିକାରୀ, କର୍ମଚାରୀ ଓ ଅତିଥିମାନେ ନିୟମିତ ଯୋଗାଭ୍ୟାସ କରିବା ସହ ସୁସ୍ଥ ସମାଜ ଗଠନରେ ସହଯୋଗ କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ ।

Leave A Reply

Your email address will not be published.