jayashree

କେରାଣ୍ଡିତଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତଳା ନାରାୟଣପୁର, ବରିଷ୍ଠ ନାଗରିକ ମଞ୍ଚ ତରଫରୁ ୮୦ ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଗ୍ରାମ ମଧ୍ୟସ୍ଥ ମଞ୍ଚର କାର୍ଯ୍ୟାଳୟ ସମ୍ମଖରେ ମଞ୍ଚର ସଭାପତି ନରହରି ପ୍ରଧାନ ଓ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ମିଳିତ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମୂହ ଭାବେ ଜାତୀୟ ସଂଗୀତ ଓ ବନ୍ଦେ ମାତରମ ସଂଗୀତ ଗାନ କରିଥିଲେ । ପରେ ପରେ ଏକ ବୈଠକରେ ଭାରତର ସ୍ୱାଧୀନତା ସୁରକ୍ଷାରେ ବରିଷ୍ଠ ମାନଙ୍କର ଦାୟୀତ୍ଵ ଓ କର୍ତ୍ତବ୍ୟ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏଥିରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ମୁଖ୍ୟ ଆଲୋଚକ ରୂପେ ଯୋଗଦେଇ ବରିଷ୍ଠ ମାନେ ପ୍ରଥମେ ନିଜ ନିଜର ସନ୍ତାନ ମାନଙ୍କୁ ନିଶା ସେବନରୁ ନିବୃତ୍ତ କରିବା, ପରିବେଶ ସୁରକ୍ଷାରେ ସହଯୋଗ କରିବା, ସାମାଜିକ କାର୍ଯ୍ୟକ୍ରମରେ ଭାଇଚାରା ସୃଷ୍ଟି କରିବା ଉପରେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ କୁମାର ମହାରଣା, ସତ୍ୟବାଦୀ ସାହୁ, ଜୁରିଆ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅନୁରୂପ ଭାବେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁନିଲ କୁମାର ଶତପଥିଙ୍କ ସଭାପତିତ୍ୱରେ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା । ସମିତି ସଭ୍ୟା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା, ଅବସର ପ୍ରାପ୍ତ ଶିକ୍ଷକ କୋରା ମହାରଣା, ଅମରେଶ୍ୱର ସାହୁ, ପଙ୍କଜ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ ।

Leave A Reply

Your email address will not be published.