ଡେଲାଙ୍ଗ ବ୍ଲକସ୍ତରୀୟ ଲୋକସେବା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ଲୋକସେବା ଦିବସ ପାଳିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କୁମାର ନାୟକ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ରତିକାନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବ୍ଲକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଭୂମିପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ବିଜୁବାବୁଙ୍କ ଜନ୍ମ ଦିନରେ ଗ୍ରାମୀଣ ବିକାଶର ସଫଳତା ଓ ନବୀନ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଏବିଡ଼ିଓ, ଜିପିଓ ବିଜୁବାବୁଙ୍କ ଜୀବନ ଆଦର୍ଶ ବର୍ଣ୍ଣନା କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗ୍ରାମ୍ୟ ସ୍ତରରୁ ବିକାଶ ନିମନ୍ତେ ସଂକଳ୍ପ ନେବା ନିମନ୍ତେ ପ୍ରବର୍ତ୍ତାଇଥିଲେ । ଏହି ଦିନଟିକୁ ଲୋକସେବା ଦିବସ ରୂପେ ଉତ୍ସଗ କରି ସମସ୍ତ ସରକାରୀ ଯୋଜନା ଗୁଡ଼ିକୁ ଲୋକାଭିମୁଖୀ କରାଇବା ନିମନ୍ତେ ଆଲୋଚନା ହୋଇଥିଲା । ଏହି ଅବସରରେ କବୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ୱାଇଁଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

ten − 1 =