ନୂଆଦିଲ୍ଲୀରେ ହାଇଡ୍ରୋଜେନ୍‌ ସିଏନ୍‌ଜି ପ୍ଲାଣ୍ଟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ : ଭବିଷ୍ୟତ ପାଇଁ ସବୁଜ ମାର୍ଗ ଅନ୍ୱେଷଣ କରିବା ଦିଗରେ ଐତିହାସିକ ପଦକ୍ଷେପ, କହିଲେ ଧର୍ମେନ୍ଦ୍ର ପ୍ରଧାନ

• ପ୍ରଥମ ପର୍ୟ୍ୟାୟରେ ୫୦ଟି ବସରେ ପରୀକ୍ଷଣ
• ନୂଆଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବ
• ଆଇଓସିଏଲ ଏବଂ ଇନ୍ଦ୍ରପ୍ରସ୍ଥ କମ୍ପାନୀର ପଦକ୍ଷେପକୁ ପ୍ରଶଂସା
• ଭାରତକୁ ହାଇଡ୍ରୋକାର୍ବନ ଅର୍ଥନୀତି କରିବା ଦିଗରେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀର ରାଜଘାଟ ବସ ଡିପୋଟ୍‌ ଠାରେ ବାଣିଜ୍ୟିକ ହାଇଡ୍ରୋଜେନ୍‌ ସିଏନଜି (ଏଚସିଏନଜି) ଉତ୍ପାଦନ ପ୍ଲାଣ୍ଟ ଏବଂ ବିତରଣ ଷ୍ଟେସନର ଲୋକାର୍ପଣ କରିଛନ୍ତି । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଯାନବାହନ ଯାତାୟତ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ଏବଂ ଭବିଷ୍ୟତ ପାଇଁ ସବୁଜ ମାର୍ଗ ଅନ୍ୱେଷଣ କରିବା ଦିଗରେ ଥିବା ଭାରତ ସରକାରଙ୍କ ଉଦ୍ୟମ ପରିପ୍ରେକ୍ଷୀରେ ଏହା ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଇଣ୍ଡିଆନ ଅଏଲ ଦ୍ୱାରା ନବସୃଜନ ଏବଂ ଟେକ୍ନୋଲୋଜିରେ ସୁଧାର ଅଣାଯାଇ ଦୈନିକ ୪ ଟନର ହାଇଡ୍ରୋଜେନ୍‌ ମିଶ୍ରିତ ସିଏନଜି ଉତ୍ପାଦନ ପ୍ଲାଂଟ ପ୍ରତିଷ୍ଠା କରାଯାଇଛି । ସେହିପରି ଇନ୍ଦ୍ରପ୍ରସ୍ଥ ଗ୍ୟାସ କମ୍ପାନୀ ଲୋକର୍ପିତ ଏହି ପ୍ଲାଂଟରୁ ଇନ୍ଧନ ଯୋଗାଇବା ପାଇଁ ବିତରଣ ଷ୍ଟେସନ ସ୍ଥାପନ କରିବା ପ୍ରଶଂସନୀୟ । ଆଜି ପ୍ରଥମ ପର୍ୟ୍ୟାୟରେ ପରୀକ୍ଷାମୂଳକ ଭାବରେ ୫୦ଟି ବସରେ ହାଇଡ୍ରୋଜେନ ସିଏନଜି ବ୍ୟବହାର କରାଯାଇଛି । ଏହା ଭାରତକୁ ହାଇଡ୍ରୋକାର୍ବନ ଅର୍ଥନୀତି କରିବା ଦିଗରେ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଭବିଷ୍ୟତରେ ପରିବେଶର ସୁରକ୍ଷା ପାଇଁ ସ୍ୱଚ୍ଛ ଉର୍ଜା ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଦେଶରେ ପ୍ରଦୂଷଣକୁ ହ୍ରାସ କରିବା ଏବଂ ଦେଶବାସୀଙ୍କୁ ଏକ ଉତ୍ତମ ପରିବେଶ ଦେବା ପାଇଁ ଭାରତ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ତଥା ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍‌ କରିବା ପାଇଁ ଏହି କ୍ଷେତ୍ରରେ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜନିବେଶ କରାଯାଉଛି । ୧୩୦ କୋଟି ଏବଂ ଭାରତୀୟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ଆଗାମୀ ଦଶନ୍ଧି ଧରି ସମସ୍ୟା ସମାଧାନର ବାହାର କରିବାରେ ଭାରତ ବିଶ୍ୱ ବିଜେତା ହେବ ବୋଲି ଶ୍ରୀ ପ୍ରଧାନ ଦଢୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.