
ଭୁବନେଶ୍ୱର : ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଶ୍ରମିକଙ୍କ ଗର୍ଜନ । ଶ୍ରମ କୋଡ୍ ପ୍ରତ୍ୟାହାର, ଏମ୍ଏମ୍ଡିଆର୍ ଆଇନ ରଦ୍ଦ ଓ ଶ୍ରମିକଙ୍କ ବିଭିନ୍ନ ଦାବି ନେଇ ଦୁଇଦିନିଆ ଧାରଣା ଦେଇଛି ସିଆଇଟିୟୁ । ସେପ୍ଟେମ୍ବର ୨୪ ଓ ୨୫ ତାରିଖରେ ଆୟୋଜିତ ଏହି ଧାରଣାରେ ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଶ୍ରମିକ ଏକ ବିଶାଳ ପଟୁଆରରେ ମାଷ୍ଟର କ୍ୟାଣ୍ଟିନରୁ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ । ପରେ ଲୋୟର ପିଏମ୍ଜିଠାରେ ଧାରଣା ଆରମ୍ଭ ହୋଇଥିଲା । ସିଆଇଟିୟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶ୍ରମିକଙ୍କ ସମସ୍ୟା ଓ ସରକାରଙ୍କ ନୀତିକୁ ନେଇ ଆଲୋଚନା ହୋଇଥିଲା । ଶ୍ରମିକ ବିରୋଧୀ ନୀତି ପ୍ରତ୍ୟାହାର ପାଇଁ ବ୍ୟାପକ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ ଦିଆଯାଇଥିଲା । ସିଆଇଟିୟୁ ରାଜ୍ୟ ସାଧାରଣ ସମ୍ପାଦକ ଉଲ୍ଲାସ ସ୍ୱାଇଁ ଶ୍ରମ କୋଡ୍କୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ୮ ଘଣ୍ଟା କାର୍ୟ୍ୟ ସମୟ, ଛଟେଇ ଓ ଠିକା ନିଯୁକ୍ତି ଭଳି ପ୍ରସଙ୍ଗ ଉଠାଇଥିଲେ । ଏଥିସହ ଶ୍ରମିକଙ୍କ ଏକତାକୁ ମଜବୁତ କରିବାକୁ ସେ ଆହ୍ୱାନ ଦେଇଥିଲେ । ସଂଗଠନ ପକ୍ଷରୁ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା, ସ୍କିମ୍ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ଓ ସାମାଜିକ ସୁରକ୍ଷା, ଦରବୃଦ୍ଧି ନିୟନ୍ତ୍ରଣ ଆଦି ଦାବି ଉଠାଯାଇଥିଲା । ସଭାରେ ଲୋଭାକାନ୍ତ ସ୍ୱାଇଁ, ଦୁଷ୍ମନ୍ତ ଦାସ, ପୁଷ୍ପା ଦାସ, ପ୍ରଦୀପ୍ତ ନାୟକ, ଯାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ରମେଶ ଜେନା, ଶକୁନ୍ତଳା ମହାକୁଡ଼, ଏଚ୍.ଏନ୍. ଯାଦବ, ସୁରେଶ ସ୍ୱାଇଁ, ବସନ୍ତ ନାୟକ, ଗିରିଧାରୀ ମହାରଣା, ପୂର୍ଣ୍ଣ ପାଢ଼ୀ ଓ ସଂଯୁକ୍ତା ସେଠୀଙ୍କ ସମେତ ବହୁ ନେତା ଉପସ୍ଥିତ ରହିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକଙ୍କ ସ୍ୱାର୍ଥବିରୋଧୀ ନୀତି ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସିଆଇଟିୟୁ ପକ୍ଷରୁ ଚେତାବନୀ ଦିଆଯାଇଛି ।