ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ ଦେଖିଲା ତିନି ମାସର ଶିଶୁକନ୍ୟା : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଲେ ପରିବାର

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ‘‘ଜନ୍ମ ହେଲା ବେଳେ ମୋ’ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା । ପରୀକ୍ଷା ହେଲାରୁ ଜଣାପଡ଼ିଲା ଯେ ତା’ ଆଖିରେ କିଛି ଅସୁବିଧା ଅଛି । ଅପରେସନ କରିବାକୁ ପଡ଼ିବ । ଝିଅକୁ କେମିତି ଭଲ କରିବୁ ଆମେ ଚିନ୍ତାରେ ପଡ଼ିଯାଇଥିଲୁ’’, କିଛିଦିନ ତଳର କଥା ମନେ ପକାଇ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଏକମା ଗ୍ରାମର ରିଙ୍କି ବାରିକ । କିନ୍ତୁ ରିଙ୍କି ଓ ତାଙ୍କ ସ୍ୱାମୀ ସଚୀନ୍ଦ୍ରଙ୍କ ସେହି ଚିନ୍ତା ଦୂର ହୋଇପାରିଛି । ଠିକ୍ ସମୟରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ସହଯୋଗରେ ଭୁବନେଶ୍ୱରଠାରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଶିଶୁକନ୍ୟାଟିର ଆଖିରେ ବିରଳ ଅସ୍ତ୍ରୋପଚାର ହୋଇଛି । କୁନି ଝିଅଟି ତା’ ଆଖିରେ ବାପା ମା’ ଓ ଦୁନିଆକୁ ଦେଖିପାରିଛି । ଗତ ତିନି ମାସ ତଳେ ରିଙ୍କି ବାରିକ ନିର୍ଦ୍ଧାରିତ ପ୍ରସବ ତାରିଖର ଯଥେଷ୍ଟ ପୂର୍ବରୁ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ପରେ ଶିଶୁଟିର ଦୃଷ୍ଟି ପଟଳରେ ସମସ୍ୟା ରହିଥିବା ଜଣାପଡ଼ିଥିଲା ।

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ (ଆରବିଏସକେ) ଅଧୀନରେ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଝିଅଟିର ପରୀକ୍ଷା କରାଯାଇଥିଲା । ଭୁବନେଶ୍ୱରସ୍ଥିତ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ତାପସ ରଞ୍ଜନ ପାଢ଼ୀ ସୁନ୍ଦରଗଡ଼ ଆସି ୩୮ ଜଣ ଶିଶୁଙ୍କର ଆଖି ପରୀକ୍ଷା କରିଥିଲେ । ତା’ ଭିତରେ ଏଇ ୩ ମାସର ଝିଅଟିର ଆଖି ଅପରେସନ କରିବା ଜରୁରୀ ବୋଲି ଡାକ୍ତର ମତ ଦେଇଥିଲେ । କଅଁଳା ଶିଶୁର ଅପରେସନ କଥା ଶୁଣି ପ୍ରଥମେ ଡରି ଯାଇଥିଲେ ସଚୀନ୍ଦ୍ର ଏବଂ ରିଙ୍କି । ତା’ ସାଙ୍ଗକୁ ଅପରେସନ ପାଇଁ ଟଙ୍କା କୁଆଡୁ ଆସିବ, ତାକୁ ନେଇ ଉଭୟ ଚିନ୍ତାରେ ପଡ଼ିଥିଲେ । ହେଲେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପିଲାଟିର ଚିକିତ୍ସା ପାଇଁ ଆଗେଇ ଆସିଥିଲା । ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆମ୍ବୁଲାନ୍ସରେ ଶିଶୁକନ୍ୟା ସହ ତା’ର ପରିବାରକୁ ଭୁବନେଶ୍ୱର ପଠାଯାଇଥିଲା । ଚକ୍ଷୁ ବିଶେଷଜ୍ଞ ଡାକ୍ତର ତାପସ ରଞ୍ଜନ ପାଢ଼ୀ କ୍ୟାପିଟାଲ ହସ୍ପିଟାଲରେ ତା’ର ଲେଜର ଅପରେସନ କରିଥିଲେ । ଫଳରେ ଝିଅଟି ସୁସ୍ଥ ହୋଇ ଘରକୁ ଫେରିଛି ।


‘‘କିଛିଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୮ ଜଣ ଶିଶୁଙ୍କର ଆଖି ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୪ ଜଣ ଶିଶୁଙ୍କ ଦୃଷ୍ଟି ପଟଳରେ ସମସ୍ୟା ଥିବା ଜଣାପଡ଼ିଥିଲା । ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ଭୁବନେଶ୍ୱର ପଠାଯାଇଥିଲା । ୩ ଜଣଙ୍କ ଆଖି ଔଷଧ ଦ୍ୱାରା ଭଲ ହେବ ବୋଲି ଜଣାପଡ଼ିଲା । ତେବେ ସେ ଛୋଟ ଝିଅର ଆଖିରେ ଲେଜର ଅପରେସନ କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି’’, ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ।
ଶିଶୁକନ୍ୟାକୁ ଠିକଣା ସମୟରେ ଚିକିତ୍ସା ମିଳି ପାରିଲା । ତାକୁ ଭୁବନେଶ୍ୱର ଅଣାଯାଇ ଅତ୍ୟାଧୁନିକ ସର୍ଜରି କରାଯିବାରୁ ତା’ର ଆଖି ଠିକ ହୋଇପାରିଲା ବୋଲି କହିଛନ୍ତି ଡାକ୍ତର ତାପସ ରଞ୍ଜନ ପାଢ଼ୀ ।
ଝିଅଟି ଏକପ୍ରକାର ନୂଆ ଜୀବନ ପାଇଥିବାରୁ ତା’ର ମା’ ରିଙ୍କି ଏବଂ ବାପା ସଚୀନ୍ଦ୍ର ବେଶ୍ ଖୁସି। ଏଥିପାଇଁ ସେମାନେ ଜିଲ୍ଲା ପ୍ରଶାସନ ସହ ଆରବିଏସକେ ଏବଂ ଡାକ୍ତରୀ ଟିମକୁ ଧନ୍ୟବାଦ ଦେଇଛନ୍ତି।

Leave A Reply

Your email address will not be published.