୧୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନକ୍ରୟରେ ସାମିଲ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ୍ ଋତୁର ଧାନ ସଂଗ୍ରହ ପାଇଁ ଜିଲ୍ଲସ୍ତରୀୟ ଧାନ କ୍ରୟ କମିଟିର ବୈଠକ ଜିଲ୍ଲାପାଳ ମନୀଷା ବାନାର୍ଜିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ଅକ୍ଟୋବର ୨୦ ତାରିଖରୁ ଜିଲ୍ଲାର ୯୩ଟି ପ୍ୟାକ୍ସ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବାକୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପରିବର୍ଦ୍ଧିତ ସରକାରୀ ଧାର୍ଯ୍ୟ ଦରରେ ଚାଷୀଙ୍କ ଧାନକ୍ରୟ କରିବାକୁ ନିର୍ଦ୍ଦେଶ ରହିଥିବାବେଳେ ସାଧାରଣ ମାନର ଧାନ କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କା ଓ ଗ୍ରେଡ୍ ଏ ଧାନ କ୍ବିଣ୍ଟାଲ ପିଛା ୧୮୮୮ ଟଙ୍କା ନିର୍ଧ୍ୟାୟ ହୋଇଛି । ଠିକ୍ ସେହିପରି, ଏଥର ଜିଲ୍ଲାର ହୀରାକୁଦ ସେଚାଚଂଳ ବିନିକା, ଡୁଙ୍ଗୁରୀପାଲି ସମେତ ବୀରମହାରାଜପୁର, ଉଲୁଣ୍ଡା, ତରଭା ଓ ସଦର ସୁବର୍ଣ୍ଣପୁର ବ୍ଲକର ଚାଷୀଙ୍କଠାରୁ ପି’ପାସ୍ ମାଧ୍ୟମରେ ୨୩୦୫୮୮.୨୩୫ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ନିଶ୍ଚିତ କରାଯାଇଛି । ସମସ୍ତ ଧାନକ୍ରୟ କେନ୍ଦ୍ରରେ କୋଭିଡ୍ – ୧୯ କଟକଣା ସହ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ । ଜିଲ୍ଲା ପ୍ରଶାସନ ଦ୍ବାରା ଆହୂତ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞନ ପୂଜାରୀ, ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ସହ ବିଭାଗୀୟ ଅଧିକାରୀ ଓ ଜିଲ୍ଲାର ଅଗ୍ରଣୀ ଚାଷୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.