ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଲଘୁଚାପ ପ୍ରଭାବରେ ଗୁରୁବାର ଠାରୁ ବାଲିଗୁଡା ସମେତ ଆଖପାଖ ଅଞ୍ଚଳରେ ଅଦିନିଆ ଝିପିଝିପି ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଶେଷ କରି ଏବେ ଶହଶହ ଚାଷୀଙ୍କର କ୍ଷେତ ଓ ଖଳାରେ ପାଚିଲାଧାନ ପଡି ରହିଥିବାରୁ ଅଦିନିଆ ବର୍ଷାରେ ଭିଜୁଛି । ଚାଷୀମାନେ ଅମଳ ହୋଇଥିବା ପାଚିଲା ଧାନକୁ କିପରି ବର୍ଷା ଦାଉରୁ ରକ୍ଷା କରିବେ ସେଥିପାଇଁ କିଏ ପଲିଥିନ ଢାଙ୍କୁଛି ତ ଆଉ କିଏ ବସ୍ତାରେ ଧାନକୁ ସାଇତି ରଖୁଥିବା ଦେଖିବାକୁ ମିଳୁଛି । ଯାହାକିଛି ଧାନ ଅମଳ ହୋଇଛି ସରକାରୀ ମଣ୍ଡି ଖୋଲି ନଥିବାରୁ ଧାନ କିପରି ବିକ୍ରି କରିବେ ସେଥିପାଇଁ ଚିନ୍ତାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ୨ଦିନ ହେଲା କୋହଲା ପାଗ ସହିତ ଝିପିଝିପି ବର୍ଷା ଲାଗି ରହିଥିହାରୁ ଅନେକ ସ୍ଥାନରେ ଧାନ ଭିଜିବା ସହିତ କ୍ଷେତରେ ପାଣି ଜମିବାରେ ଲାଗିଛି । ଫଳରେ ଧାନ ଗଜା ହୋଇଯିବ ବୋଲି ଚାଷୀମାନେ କହିଛନ୍ତି । ଶହଶହ ଏକର ଚାଷ ଜମିରୁ ଏପର୍ଯ୍ୟନ୍ତ ଧାନ କଟା ହୋଇ ପଡି ରହିଥିବାରୁ ତାହା କ୍ଷେତରେ ନଷ୍ଟ ହେବାକୁ ବସିଛି । ଏଥିପାଇଁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଧାନମଣ୍ଡି ଖୋଲିବା ସହ କ୍ଷୟ କ୍ଷତି ଯୋଗାଇ ଦେବା ପାଇଁ ଚାଷୀ ମହଲରୁ ଦାବୀ ହେଉଛି ।