jayashree

ପଞ୍ଜୀକରଣ ପ୍ରକ୍ରିୟାରେ ଜଟିଳତାର ପ୍ରତିବାଦ କରି ସୁବର୍ଣ୍ଣପୁରରେ ଚାଷୀଙ୍କ ଆନ୍ଦୋଳନ ଧମକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲାମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ଧାନ ଉତ୍ପାଦନରେ ଏକ ଅଗ୍ରଣୀ ଜିଲ୍ଲା । ଚାଷୀଙ୍କ ଆୟ ବୃଦ୍ଧି ଓ ଧାନର ଉଚିତ ମୂଲ୍ୟ ପାଇଁ ସରକାର ଏମ୍‌ଏସ୍‌ପି ବ୍ୟତୀତ ଅତିରିକ୍ତ ୮୦୦ ଟଙ୍କା ସହାୟତା ଦେବାର ପ୍ରତିଶୃତି ଦେଇଥିଲେ । କିନ୍ତୁ ଏବେ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ ନୂଆ ନୂଆ ଜଟିଳତା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏଗ୍ରିଷ୍ଟାକ୍ ଫାର୍ମର୍ ଆଇଡି, ଭାଗଚାଷୀଙ୍କ କ୍ଷେତ୍ରରେ ଜମି ମାଲିକଙ୍କ ଉପସ୍ଥିତି ଭଳି ବିଭିନ୍ନ ପ୍ରକ୍ରିୟା ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । ଏହା ଫଳରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିବାରେ ଚାଷୀଙ୍କୁ ନାନା ହଇରାଣ ହରକତ ହେବାକୁ ପଡ଼ୁଛି । ସେପଟେ ଚଳିତ ବର୍ଷ ଅଗଷ୍ଟ ୬ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇ ଅଗଷ୍ଟ ୩୧ ଯାଏଁ ଚାଲିବାକୁ ଥିବାରୁ ଏତେ କମ୍ ସମୟ ମଧ୍ୟରେ ସମସ୍ତ ଚାଷୀଙ୍କ ପଞ୍ଜୀକରଣ ସମ୍ପୂର୍ଣ୍ଣ ହେବ କି ନାହିଁ, ତାକୁ ନେଇ ଚାଷୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ବର୍ତ୍ତମାନ ଚାଷୀଙ୍କ ପାଇଁ ଚାଷ କାର୍ଯ୍ୟ ସହ ପଞ୍ଜୀକରଣ ମଧ୍ୟ ଜରୁରୀ । ଏଭଳି ସମୟରେ ପଞ୍ଜୀକରଣ ପ୍ରକ୍ରିୟାରେ ଜଟିଳତା ଏବଂ ସମୟର ଅଭାବ ଚାଷୀଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି । ଅନ୍ୟପଟେ ସୁବର୍ଣ୍ଣପୁର ଜିଲ୍ଲାରେ ବର୍ତ୍ତମାନ ହାଇଟେକ୍ ସର୍ଭେ କାର୍ଯ୍ୟ ଚାଲିଥିବାରୁ ଅନେକ ଚାଷୀ ତହସିଲ୍‌ରୁ ନିଜ ନାମରେ ଜମିପଟ୍ଟା କରିବାରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ତେଣୁ ପୂର୍ବଭଳି ସହଜ ଓ ସରଳ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଧାନ ବିକ୍ରି ପାଇଁ ପଞ୍ଜୀକରଣର ସୁଯୋଗ ଦେବା ସହ ପଞ୍ଜୀକରଣ ଅବଧିକୁ ଅତିକମ୍‌ରେ ଆଉ ଏକ ମାସ ବୃଦ୍ଧି କରିବାକୁ ଦାବି ହୋଇଛି । ଏ ନେଇ ସୁବର୍ଣ୍ଣପୁର ଜିଲ୍ଲା ଚାଷୀ ସଂଗଠନ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ବ୍ୟାପକ ଚାଷୀ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ଜବାବ ଦେବାକୁ ଚାଷୀକୁଳ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛି ।

Leave A Reply

Your email address will not be published.