ଅଦିନିଆ ବର୍ଷାରେ କପା ଓ ଧାନ ଚାଷୀ ଛାନିଆ : ଦଲାଲ ହାତରେ ଧଳାହୀରା

ସଇଁନ୍ତଲା, (ଅଜିତ କୁମାର ସାହୂ) : ମାସକ ତଳେ ଲଗାଣ ବର୍ଷା ପ୍ରଭାବରେ ଚାଷଜମି ଜଳାର୍ଣ୍ଣବ ହୋଇଥିବା ସହ ଅଦିନିଆ ବର୍ଷାରେ ଧାନ ଫସଲରେ ଗଜା ମଧ୍ୟ ଦେଖାଦେଇ ଥିଲା । କିନ୍ତୁ ବର୍ତ୍ତମାନ କପା ଚାଷୀଙ୍କୁ ଘାରିଛି ବାତ୍ୟା । ଧାର କରଜ ଆଣି ଚାଷୀ ନିଜ ବିଲରେ କପା ଚାଷ କରିଥିବା ବେଳେ ଦଲାଲ ହାତରେ କମ୍‌ ଦାମରେ ଟେକି ଦେଉଛନ୍ତି ଧଳାହୀରା ଫସଲକୁ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ କପା ମଣ୍ଡି ନଥିବା ବେଳେ ବାଧ୍ୟ ହୋଇ କପା ଚାଷୀ ଦଲାଲ ହାତରେ ପଡି କପା ବିକ୍ରି କରୁଛନ୍ତି । ତେବେ ଟିଟିଲାଗଡ଼, ବଲାଙ୍ଗିର ଓ କଣ୍ଟାବାଞ୍ଜିରେ କପା ମଣ୍ଡି ଥିବା ବେଳେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପାଇଁ ପଡୁଥିବା ବେଳେ ନିରାଶ ହୋଇ ଘରକୁ ମଧ୍ୟ ଫେରୁଛନ୍ତି ।ଅନ୍ୟପଟେ ଏଯାଏଁ ଧାନ ବିଲରୁ ପାଣି ଛିଣ୍ଡିନି । ଜମିରେ ପାଣି ରହିଥିବାରୁ ଧାନ କଟା ବାଧାପ୍ରାପ୍ତ ହୋଇଥିଲା । ଏବେ ପୁଣି ଆଉ ଗୋଟିଏ ବର୍ଷା ଚାଷୀକୁଳକୁ ହତାଶ କରିଛି । ଅଞ୍ଚଳରେ ୯୦ପ୍ରତିଶତ ଧାନପାଚି ଗଲାଣି । ତରବରିଆ ଭାବେ ଧାନ ବିଲରେ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀ ବ୍ୟଗ୍ର । ଗତ ଅଦିନିଆ ଲଘୁଚାପ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ବିଭିନ୍ନ ଗ୍ରାମରେ ଧାନ ଫସଲ ବିଲରେ ପାଣି ଜମି ଅଧା ପାଚିଲା ଧାନ ନଷ୍ଟ ହୋଇଥିବା ହେତୁ ଚାଷୀ ହତାଶ ହୋଇଛି । ଏବେ ପୁଣି ବର୍ଷା ଓ ବାତ୍ୟା ଶୁଣି ଆହୁରି ଛାନିଆ ଚାଷୀକୂଳ । ଏହି ଅଞ୍ଚଳର ଶହ ଶହ ହେକ୍ଟର ଜମି ଜଳମଗ୍ନ ହୋଇ ନଷ୍ଟ ହେବା ଆଶଙ୍କା ରହିଛି । ବର୍ତ୍ତମାନ ସୁଧା ଧାନଗଛଗୁଡ଼ିକ ପାଣିରେ ପଡ଼ିରହିଛି । କିଛି ସ୍ଥାନରେ ପାଗ ସଫା ଦେଖି ଧାନ କଟା ହୋଇଛି । କଟା ପାଚିଲା ଧାନ ବିଲରେ ହିଁ ପଡିରହିଛି । କିଛି ଦିନ ପରେ ଧାନ ଅମଳ ହୋଇଥାନ୍ତା । ଅଦିନିଆ ବର୍ଷା ଚାଷୀକୁ ଉପାୟ ଶୂନ୍ୟ ଓ ହତାଶ କରିଦେଇଛି । ବର୍ତ୍ତମାନ ସମୟରେ ବିଲ ମଧ୍ୟରେ ଆଣ୍ଠୁଏ ପାଣି ଜମି ରହିଛି । ମୁଣ୍ଡରେ ହାତମାରି ବସିଛି ଚାଷୀ । ଏପଟେ କୃଷି ବିଭାଗ ଅଧିକାରୀ ଚିତ୍ତ ରଞ୍ଜନ ଶତପଥୀ କହିଛନ୍ତି ଯେ, ସମସ୍ତ ଚାଷୀଙ୍କୁ ମଧ୍ୟ ସୂଚନା ଦିଆଯାଇଛି ଓ ଧାନର କିଭଳି ଭାବେ ସୁରକ୍ଷା ବ୍ୟବସ୍ଥା ହେବ ତାହାକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା ବୋଲି କହିଛନ୍ତି ।

Leave A Reply

Your email address will not be published.

four + two =

error: Content is protected !!