ପାଣି ପାଇଁ ଚାଷୀ ହନ୍ତସନ୍ତ : ଏମଆଇପି. ପାଇଁ ନିବେଦନ

କଳାହାଣ୍ଡି, (କେପିଏନ୍ଏସ୍) : କୃଷି ଓ କୃଷକ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଥିବାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ତାହାର ରୂପରେଖ ଚିନ୍ତା କଲେ, ହତାଶ ହେବାକୁ ପଡେ଼ । ମ. ରାମପୁର ବ୍ଲକ ଅନ୍ତର୍ଗତ ଉପର ନୂଆଗାଁରେ ଏ ପର୍ଯ୍ୟନ୍ତ ଚାଷ ଓ ଚାଷୀ ପାଇଁ କୌଣସି ପ୍ରକାର ସୁବିଧା ନାହିଁ । ପାଖରେ କେରମେଲା ଯୋର୍ ବର୍ଷା ଦିନେ ବହି ଚାଲେ । ଗାଁ ଚାଷୀଭାଇମାନେ ନିଜସ୍ୱ ଉଦ୍ୟମରେ ପଥର ଆଡ଼ିବନ୍ଧ (ଟାଲ) ଦେଇ ନିଜ ନିଜ କ୍ଷେତକୁ ପାଣି ମଡ଼ାନ୍ତି । ଏହା ଆଜିର କଥା ନୁହେଁ, ଦୀର୍ଘ ଦଶନ୍ଧି ଧରି ପାରମ୍ପାରିକ ପଦ୍ଧତିରେ ଜମିକୁ ଏପରି ପାଣି ମଡେ଼ଇ ଚାଲିଛନ୍ତି । ସଂପୂର୍ଣ୍ଣ ଭାବେ ଆଦିବାସୀ ଅଧୁ୍ୟଷିତ ଏ ଗାଁର ଦୁଇ ଶହ ଏକରରୁ ଅଧିକ ଚାଷଜମି ଥିଲେ ବି ପାଣିର ଅଭାବ ଯୋଗୁଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ୨୦୦୪ / ୦୫ ମସିହାରେ ଗାଁ ମୁଣ୍ଡରେ କେରମେଲି ଯୋର୍ରେ ଏକ ଛୋଟ ଆନିକଟ ଡାଇଭରସନ୍ ତିଆରି ହୋଇଥିଲେ ମଧ୍ୟ ଅନୁଦାନର ଅଭାବ ଯୋଗୁଁ ଅସଂପୂର୍ଣ୍ଣ ହୋଇ ଭାଂଗି ଯାଇ କାମକୁ ଆସୁନାହିଁ । ମାଡ଼ା ସ୍କିମ୍ ଯୋଜନାରୁ ତିଆରି ଏହା ପାହାଡ଼ିଆ ପାଣିର ପ୍ରଖରତା ଯୋଗୁଁ ଭାଂଗି ଯାଇଛି । ଗ୍ରାମର ଚାଷୀକୂଳ ସଂପୂର୍ଣ୍ଣ ଭାବେ ସ୍ୱର୍ଗକୁ ଆଶ୍ରା କରି ରହୁଛନ୍ତି । ଫଳତଃ ଚାଷ କାର୍ଯ୍ୟ ଠିକ୍ ଭାବେ ହୋଇ ପାରୁନାହିଁ । ଏହି କେରମେଲା ଯୋର୍ ହିଁ ଏହି ଗାଁର ଜୀବନ ରେଖା ହୋଇଥିବା ବେଳେ ଏହି ଯୋରରେ ଏକ କ୍ଷୁଦ୍ର ଜଳସେଚନ ଯୋଜନା (ଏମଆଇପି) କିମ୍ବା ଆଡ଼ିବନ୍ଧ ତିଆରି କଲେ ସମସ୍ତ ଚାଷୀ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି । ଏହା ଫଳରେ ଖରିଫ୍ ଫସଲରେ ବି ଚାଷୀ ଲାଭାନ୍ୱିତ ହୋଇପାରନ୍ତା । ଏ ସଂପର୍କରେ ଗ୍ରାମସଭା ତଥା ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ପ୍ରସ୍ତାବ ଦିଆ ଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନାହିଁ । ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.