pakka

ତୈଳ, ରନ୍ଧନ ଗ୍ୟାସ ଆଦି ଦର ବୃଦ୍ଧି ବିରୋଧରେ ସ୍ୱର ଉତ୍ତୋଳନ

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କେନ୍ଦ୍ର ସରକାରଙ୍କ ତୈଳ ଦର ବୃଦ୍ଧିକୁ ନେଇ ବର୍ତ୍ତମାନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ତିରିଶରୁ ଚାଳିଶ ପଇସା ବୃଦ୍ଧି ପାଇ ଆଜି ଲିଟର ପିଛା ୧୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଲାଣି ପେଟ୍ରୋଲ । ଚଳିତ ଖରିଫ ଫସଲରେ ଅଭାବୀ ଧାନ ବିକ୍ରି ଓ ଟୋକନ୍ ବ୍ୟବସ୍ଥା ସାଙ୍ଗକୁ କାଳବୈଶାଖୀ ପ୍ରଭାବରେ କୃଷକମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ନିଜ ପରିବାର ଚଳେଇବା ସେମାନଙ୍କ ପାଇଁ ଦୁଃସହ ହୋଇପଡ଼ିଛି ।ଏପଟେ ଋଣ ବୋଝ ସହ ପୁଣି ରବି ଫସଲ ପାଇଁ ଧାର କରଜ କରି ଚାଷ ବାସ କରୁଛନ୍ତି । ଏବେ ତୈଳ ଦର ବୃଦ୍ଧି ଚାଷୀଙ୍କ ପାଇଁ ବଜ୍ର ସଦୃଶ ହୋଇପଡ଼ିଛି । ତୈଳଦର ବୃଦ୍ଧି ହେବା ଦ୍ଵାରା ପରିବହନ ଖର୍ଚ୍ଚ ବଢୁଛି ତେଣୁ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ଦର ବୃଦ୍ଧି ମଧ୍ୟ ହେବାରେ ଲାଗିଛି । ରନ୍ଧନ ଗ୍ୟାସ ୧୦୦୦ ଟଙ୍କାକୁ ବୃଦ୍ଧି ପାଇଲାଣି । ଆଉ କିଛି ଦିନ ପରେ ୧୦୦୦ଟଙ୍କାରୁ ଅଧିକ ହେବ । ଏପଟେ ସରକାର ଉଜ୍ଵଲା ଯୋଜନାରେ ମାଗଣା ସିଲିଣ୍ଡର ପ୍ରଦାନ କରିଛନ୍ତି, ହେଲେ ଖାଲି ସିଲିଣ୍ଡରରେ କଣ ଗ୍ୟାସ ଜଳିବ କି ବୋଲି ସାଧାରଣରେ ପ୍ରଶ୍‌ଶ୍ନ ଉଠୁଛି । ଗ୍ୟାସ ଦର ଆକାଶ ଛୁଆଁ, ତେଣୁ ପୁଣି ଲୋକେ କାଠ ଚୁଲି ବ୍ୟବହାର କରୁଛନ୍ତି । ଲୋକଙ୍କ ଜୀବନ ଯାପନ ପ୍ରଣାଳୀରେ ଅନେକ ସମସ୍ୟା ହେଉଛି । ସରକାରଙ୍କ ଏହି ଗ୍ୟାସ, ପେଟ୍ରୋଲ, ଡିଜେଲର ଦର ବୃଦ୍ଧିକୁ ପ୍ରତିବାଦ କରିବା ପାଇଁ ଅତାବିରା ବିଜେଡି ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରିବା ପାଇଁ ଆଜି ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନିର୍ଦ୍ଦେଶ କ୍ରମେ ଯୁବ ସଭାପତି ସିଦ୍ଧାର୍ଥ ପଣ୍ଡାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା କାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୧୨ଘଣ୍ଟିଆ ଧାରଣା ଦିଆଯବା ପାଇଁ ନିଷ୍ପତ୍ତି ନିଆଯାଇଛି । ୫ରୁ ୭ ତାରିଖ ମଧ୍ୟରେ ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଜୁ ଯୁବ ଛାତ୍ର ସଂଗଠନ ତଥା ମହିଳା ସଂଗଠନ ପକ୍ଷରୁ ପ୍ରତିବାଦ ପୂର୍ବକ ଧାରଣା ଦିଆଯିବ ବୋଲି ମଧ୍ୟ ଦଳ ପକ୍ଷରୁ ସୂଚନା ମିଳିଛି । ଏହି ବୈଠକରେ ଏନ୍‌ଏସି ସଭାପତି ଟଙ୍କ ଦାଶ, ସତ୍ୟ ମିଶ୍ର, ଏମ୍ ମାଲେଶୁ, ନୀଳାମ୍ବର ମହାକୁର, ଖିରୋଜ ନାଏକ, କୃଷ୍ଣ ମହାକୁର, ଏକାଦଶୀଆ ଛନ୍ଦ, ଅମିୟ ବିଶ୍ଵାଳ, ଘନଶ୍ୟାମ ଛନ୍ଦ, ପ୍ରକାଶ ସାହୁ, ଚତୁର୍ଭୁଜ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × five =