pakka

ଦେଓଗାଁ ଥାନା ଅଞ୍ଚଳକୁ ଫେରିଲେ ଡ଼କାୟତ ଦଳ

bbehera

-ପୁଣି ଥାନା ସମ୍ମୁଖ ଦୋକାନର ତାଲା କାଟିଲେ
-ସିସିଟିଭିରେ କଏଦ ହେଲା ଚୋରିର ଦୃଶ୍ୟ
-ଦିନ ଦିପହରରେ ହୋଟେଲକୁ ପଶି ଲୁଟିନେଲେ ଟଙ୍କା ବାକ୍ସ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନର ନିରବତା ପରେ ପୁଣିଥରେ ଦେଓଗାଁ ଥାନା ଅଞ୍ଚଳରେ ଲୁଟ୍‌ର ଆତଙ୍କ ଖେଳାଇଛନ୍ତି ଡ଼କାୟତ ଦଳ । ରାତିରେ ବିଭିନ୍ନ ଦୋକାନର ତାଲା କାଟି ସାମଗ୍ରୀ ଚୋରି କରି ନେଇଥିବା ବେଳେ ଦିନ ଦିପହରରେ ବାଇକ ଚାଳକଙ୍କ ଠାରୁ ଟଙ୍କା ଲୁଟ କରିବା ଦେଓଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ ଗତ ସୋମବାର ରାତିରେ ଡ଼କାୟତ ଦଳ ଦେଓଗାଁ ଥାନାକୁ ଲାଗି ବସଷ୍ଟାଣ୍ଡ ଉପରେ ଥିବା ଏକ ମୋବାଇଲ ଦୋକାନର ତାଲା କାଟି ଚୋରି ଉଦ୍ୟମ କରିଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ଜରାସିଂହା ହାଇସ୍କୁଲ ଛକରେ ଥିବା ନରେଶ ସାଙ୍କ ଦୋକାନର କବାଟ ତାଡ଼ି ସାମଗ୍ରୀ ସହ ମୋବିଲ ସହ ନଗଦ ୪ହଜାର ଟଙ୍କା ଚୋରି କରି ନେଇଥିବା ଦେଓଗାଁ ଥାନାରେ ଅଭିଯୋଗ କରିଛନ୍ତି । ସେହିଭଳି ମଙ୍ଗଲବାର ଦିନ ଦ୍ୱିପହରରେ ଜାତୀୟ ରାଜପଥ ୨୬ର ଦେଓଗାଁ ସଇଁନ୍ତଳା ରାସ୍ତାର ବଙ୍ଗଳା ଛକରୁ ବହଲି ଛକ ମଧ୍ୟରେ ଜଣେ ବାଇକ ଆରୋହୀଙ୍କ ଠାରୁ ନଗଦ ୪ହଜାର ୫ଶହ ଟଙ୍କା ଓ ରୂପା ପାୟଲ ଲୁଟ୍‌ ହୋଇଥିବା ନେଇ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଏପରିକି ବନ୍ଧପଡ଼ା‌ ଫାଣ୍ଡି ଅଧିନସ୍ଥ ଦେଷଣ୍ଢ ଗାଁରେ ଏକ ହୋଟେଲକୁ କିଛି ଦୁର୍ବୃତ୍ତ ଦୋକାନ ଭିତରେ ଭଙ୍ଗାରୁଚା କରି ଦୋକାନର ଟଙ୍କା ବାକ୍ସକୁ ନେଇ ଚମ୍ପଟ ମାରିଥିବା ବନ୍ଧପଡ଼ା ଫାଣ୍ଢିରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଦେଓଗାଁ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରି ଛାନଭିନ କରିଥିବା ଦେଖାଦେଇଛି । ଦେଓଗାଁ ଥାନା ଅଞ୍ଚଳରେ ବେଧଡ଼କ ଭାବେ ନିଶା କାରବାର ବଢ଼ୁଥିବାରୁ ଦିନକୁ ଦିନ ଚୋରି, ଡ଼କାୟତି ଘଟରା ବଢ଼ିବାରେ ଲାଗିଛି । ହେଲେ ପୁଲିସ ତଦନ୍ତ କରି କେତେବେଳେ ଲୁଟେରାକୁ ଧରି କୋର୍ଟ ଚାଳାଣ କରୁଛି ତ ପୁଣି କେତେବେଳେ ଲୁଟେରାକୁ ଖୋଜି ଖୋଜି ନାକେଦମ ହେଉଛି । ଦେଓଗାଁ ଥାନା ଅଞ୍ଚଳରେ ହେଉଥିବା ଲୁଟପାଟର ପର୍ଦାଫାସ କରି ପୁଲିସ ପେଟ୍ରୋଲିଙ୍ଗ କଡ଼ାକଡ଼ି କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

four × 4 =