mahavir

ଆଶା କର୍ମୀ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୯ ଦଫା ଦାବିପତ୍ର ପ୍ରଦାନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘର ଦୀର୍ଘ ଦିନର ବିଭିନ୍ନ ଦାବି ପୁରଣ ହୋଇନଥିବା ଯୋଗୁଁ କେନ୍ଦ୍ର ଏବଂ ରାଜ୍ୟ ଆଶାକର୍ମୀ ସଂଘର ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ରାୟଗଡ଼ା ଗାନ୍ଧୀ ପାର୍କ ଠାରେ ଜିଲ୍ଲାର ସମସ୍ତ ଆଶାକର୍ମୀ ଏକତ୍ରିତ ହୋଇ ଆଶାକର୍ମୀ ସଂଘର ଜିଲ୍ଲା ସଭାନେତ୍ରୀ ତମାଳ ସାହୁକାର, ଜିଲ୍ଲା ସମ୍ପାଦିକା ଗୀତାଞ୍ଜଳି ହିଆଲ ଏବଂ କୋଷାଧ୍ୟକ୍ଷ ପୁଷ୍ପାଞ୍ଜଳି ବେହୁରାଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବିପତ୍ର ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କୁ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ଵର ଦାସ, ସମ୍ମାନୀତ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ରାଜ୍ୟ ଉପସଭାନେତ୍ରୀ ମମତା ବିଶ୍ଵାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ଲେଙ୍କା ସହ ଜିଲ୍ଲାର ୧୧ଟି ବ୍ଳକରୁ ୨ ହଜାରରୁ ଉର୍ଦ୍ଧ୍ଵ ଆଶାକର୍ମୀ ଯୋଗଦେଇଥିଲେ । ୯ ଦଫା ଦାବି ମଧ୍ୟରେ ଜାତୀୟ ସ୍ଵାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯାଉ, ଆଶାକର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରାଯାଉ । ସରକାରୀ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ମାସିକ ୧୮ ହଜାର ଟଙ୍କା ପ୍ରଦାନ କରାଯାଉ, ଆଶାକର୍ମୀ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ, ଅବସର କାଳୀନ ସମୟରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା ସହ ମାସିକ ୫ ହଜାର ଟଙ୍କା ପେନସନ, ପ୍ରତ୍ୟେକ ମାସ ୧୦ ତାରିଖ ମଧ୍ୟରେ ମାନଦେୟ ପ୍ରଦାନ କରାଯାଉ ଏବଂ ପ୍ରତି ପିଏଚ୍‌ସି, ସିଏଚ୍‌ସିରେ ଆଶା ଗୃହ ନିର୍ମାଣ କରାଯାଉ, ଯୋଗ୍ୟତା ଭିତ୍ତିରେ ଆଶାକର୍ମୀ ମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯାଇ ଏ.ଏନ୍‌.ଏମ୍‌ ପଦବୀକୁ ପଦୋନ୍ନତି କରାଯାଉ, ଆଶାକର୍ମୀ ମାନଙ୍କର କାର୍ଯ୍ୟ ସମ୍ପାଦନ ନିମନ୍ତେ ୫ଜି ମୋବାଇଲ । ଆଶାକର୍ମୀ ମାନଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉ, ଆଶାକର୍ମୀ ମାନଙ୍କୁ ପ୍ରତି ବର୍ଷ ୨ ହଳ ୟୁନିଫର୍ମ ପ୍ରଦାନ, ରିପୋର୍ଟ ସମ୍ପାଦନ ନିମନ୍ତେ ରେଜିଷ୍ଟର ଯୋଗାଇ ଦିଆଯାଉ । ସରକାର ଉକ୍ତ ଦାବି ଗୁଡ଼ିକୁ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରନ୍ତୁ । ନଚେତ ଆସନ୍ତା ଦିନରେ ଆଶାକର୍ମୀ ମାନେ ଭାରତୀୟ ମଜଦୂର ସଂଘର ସହଯୋଗରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ ବୋଲି ଶ୍ରମିକ ନେତା ଯୋଗେଶ୍ୱର ଦାସ ପ୍ରକାଶ କରିଥିଲେ ।

Leave A Reply

Your email address will not be published.