csstore

ମହିଳା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ଓବିସି ମଞ୍ଚ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ଓବିସି ମଞ୍ଚ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଓବିସି ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଓଡିଶାରେ ଓବିସିଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢି ଚାଲିଛି । ରାଜ୍ୟ ସରକାରଙ୍କ ଠାରେ ନିଜର ଦୁଃଖ ଦୁର୍ଦ୍ଦଶା ତଥା କୌଳିକ ବୃତ୍ତିକୁ ଅନେକ ଥର ସାମ୍ବିଧାନିକ ପ୍ରକ୍ରିୟାରେ ଶୋଭାଯାତ୍ରା ଧାରଣ କରି ନିଜର ଦାବୀ ଉପସ୍ଥାପନ କଲେ ମଧ୍ୟ ଏ ଉପରେ ଗୁରୁତ୍ୱ ଦେଉ ନାହାନ୍ତି । ଓବିସି ସାଧାରଣତଃ ଚାଷୀ, ମଜୁରିଆ, ବ୍ୟବସାୟୀ, ସରକାରୀ ଚାକିରି କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି । ଏ ସବୁକୁ ଦେଖିଲେ ଏମାନେ ପ୍ରାୟ ଅସୁରକ୍ଷିତ ଅଟନ୍ତି । ତାର ସତ୍ୟ ଉଦାହରଣ ଗତ ତା.୧୫.୦୨.୨୦୨୩ରିଖ ଦିନ ଜଣେ ମହିଳା ଥାନା ଅଧିକାରୀ ଅନିତା ପ୍ରଧାନ ଯିଏକି ଧନୁପାଲି, ସମ୍ବଲପୁର ଥାନାରେ କାର୍ଯ୍ୟରତ । ସେ ନିଜର କର୍ମ କ୍ଷେତ୍ରରେ କାର୍ଯ୍ୟ ନିଭାଉଥିବା ବେଳେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ଚାପୁଡା ମାରି ଦୁର୍ବ୍ୟବହାର କରିବା ଘଟଣାକୁ ବଲାଙ୍ଗିର ଜିଲ୍ଲା ଓବିସି ମଞ୍ଚ ତୀବ୍ର ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛି ।

ଓଡିଶା ସରକାର ଓବିସିଙ୍କୁ ସଂଖ୍ୟାନୁପାତିକ ସଂରକ୍ଷଣ ଦେବାରେ ଟାଳ ଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଯେପରି ଅନୁସୂଚିତ ଜାତି ଓ ଜନଜାତିଙ୍କ ସାମାଜିକ ସୁରକ୍ଷା ପାଇଁ ନିର୍ଯ୍ୟାତନା ନିବାରଣ ଆଇନ ରହିଛି ସେପରି ଓବିସି ସାମାଜିକ ସୁରକ୍ଷା ପାଇଁ ନିର୍ଯ୍ୟାତନା ଆଇନ ପ୍ରଣୟନ ନେଇ ସର୍ବଦା ଦାବୀ କରି ଆସିଛି । ବିଗତ ଦିନରେ ଶ୍ରୀମତୀ ପ୍ରଧାନ ଉପରେ ଯେଉଁ ବିରୋଧି ଦଳ ନେତା ଶ୍ରୀ ମିଶ୍ର ଚାପୁଡା ଘଟଣାକୁ ନେଇ ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ତରଫରୁ ରାଜ୍ୟ ସଦସ୍ୟ ତଥା ବଲାଙ୍ଗିର ଜିଲ୍ଲା ସମ୍ପାଦକ ପ୍ରଦେଶୀ ବିଶ୍ୱାଳଙ୍କ ନେତୃତ୍ୱରେ ଆରକ୍ଷୀ ଅଧିକାରୀ, ବଲାଙ୍ଗିରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଓଡିଶା ସରକାରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲା ଆବାହକ ସରୋଜ ମେଶ୍ୱା, ସଂଜୟ କୁମାର ମେହେର, ମଧୁସୁଦନ ଖେତି, ତରଣୀସେନ ଦୀପ, କିଶୋର କୁମାର ସାହୁ, ନବସେତୁ ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.