ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଧାୟିକା ବର୍ଷା ସିଂ ବାରିହାଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବାରିହାଙ୍କୁ ଶନିବାର ଦିନ ଅପରାହ୍ନ ୧ ଘଟିକା ସମୟରେ ଝାରବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ଶିକ୍ଷକ ମାନଙ୍କର ତିନି ଦଫାକୁ ଆଗାମୀ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ଉଲ୍ଲେଖ କରାଯାଇଛି । ବିଧାୟିକା ଶ୍ରୀମତୀ ବାରିହା ଶିକ୍ଷକ ମାନଙ୍କ ଅନୁରୋଧ ରଖି ଉକ୍ତ ଦାବୀ ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ, ଆସନ୍ତା ୧୬ ତାରିଖରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟର ସମସ୍ତ ବର୍ଗର ଶିକ୍ଷକ ମାନେ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଝାରବନ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏକତ୍ରିତ କରି ଆଗାମୀ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଯଦି ପ୍ରାଥମିକ ଶିକ୍ଷକଙ୍କ ତିନିଦଫା ଦାବୀକୁ ପୂରଣ ନ କରନ୍ତି ତେବେ ଝାରବନ୍ଧ ବ୍ଲକର ସମସ୍ତ ଶିକ୍ଷକମାନେ ସମୂହ ଛୁଟିରେ ରହିବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ, ଏକ୍ସ କ୍ୟାଡର ସଂଘ, କନିଷ୍ଠ ଶିକ୍ଷକ ସଂଘ, ପୁରୁଣା ପେନ୍‌ସନ ପାଉଥିବା ଶିକ୍ଷକ, ସାମୟିକ ଶିକ୍ଷକ ଆଦି ଉପସ୍ଥିତ ଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ସମସ୍ତେ ଏକ ସ୍ୱରରେ ଦାବୀପୂରଣ ନହେଲେ ସମୂହ ଛୁଟିରେ ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଶିକ୍ଷକ ସଂଘ ପକ୍ଷରୁ ବିଷ୍ଣୁଚରଣ ସାହୁ, ବିରଞ୍ଚି ନାୟକ, ସଚ୍ଚିଦାନନ୍ଦ ଡନସନା, ଜଗଦୀଶ ସେଠ, ଫିରୋଜ ନାଗ, ଦୁଃଖନାଶନ ସାହୁ, କ୍ଷୀରସାଗର ନାୟକ, ଆଶାରାମ ବାରିହା, ସତ୍ୟାନନ୍ଦ ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.