
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀମତୀ ବି. ଜାନକୀ ପାତ୍ର ସ୍ଵାମୀ ବି. ଦଣ୍ଡପାଣି ପାତ୍ର ଗ୍ରା/ପୋ ଜଗଦଲପୁର ଜିଲ୍ଲା-ଗଞ୍ଜାମ, ସବିନୟେ ସାମ୍ବାଦିକ ସମ୍ମିଳନୀରେ ଜଣାଇବାର କାରଣ ଏହି କି ଯେ, ମୋ ସ୍ୱାମୀ ଚିକିଟି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପି.ଇ.ଓ) ରୂପେ କାର୍ଯ୍ୟରତ ଥିଲେ । ପ୍ରକାଶ ଥାଉ କି ଗତ ତା ୦୩.୦୨.୨୦୨୬ ରିଖରେ (ସୁନାପୁର) ବେଳାଭୂମି ମହୋତ୍ସବ ସ୍ଥଳରେ ମୋର ସ୍ୱାମୀ କାର୍ଯ୍ୟରତ ଥିବା ସମୟରେ ଝାଟିପଦର ପଞ୍ଚାୟତର କାର୍ଯ୍ୟାଳୟ ନିକଟରେ ଚିକିଟି ଅତିରିକ୍ତ ତହସିଲଦାର ଶ୍ରୀମତୀ ଶାଶ୍ୱତୀ ଷଡଙ୍ଗୀ ଅଶାଳୀନ ଗାଳିଗୁରଜ କରି ମୋ ସ୍ୱାମୀଙ୍କୁ ମିଥ୍ୟାରୋପ ଲଗାଇ ସର୍ବ ସମ୍ମୁଖରେ ଘୋର ଅପମାନିତ ଓ ଲଜ୍ଜିତ କରିଥିଲେ । ଫଳରେ ମୋର ସ୍ଵାମୀ ଘୋର ମାନସିକ ଚାପଗ୍ରସ୍ତ ହୋଇ ନିଜର ମାନସିକ ଭାରସାମ୍ୟ ହରାଇ ଗତ ତା ୦୪.୦୨.୨୦୨୬ ରିଖ ପୂର୍ବାହ୍ନରେ ଆତ୍ମହତ୍ୟାର ଉଦ୍ୟମ କରି ଏକ ଆତ୍ମହତ୍ୟା ନୋଟ୍ ଲେଖିଥିଲେ । ଯେଉଁଥିରେ ମହିଳା ଏଟିଓ ଚିକିଟି ଶ୍ରୀମତୀ ଶାଶ୍ୱତୀ ଷଡଙ୍ଗୀଙ୍କୁ ଦାୟୀ କରିଥିଲେ । ଏହାପରେ ଦୀର୍ଘ ୧୪ ଦିନ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଗତ ତା-୧୭.୦୨.୨୦୨୬ ରିଖରେ ମୃତ୍ୟୁବରଣ କରିଥିଲେ । ଉକ୍ତ ଘଟଣାରେ ସମ୍ପୃକ୍ତ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଦାୟୀ କରି ଏକ ଅଭିଯୋଗ ପତ୍ର ଦେଇଥିଲେ । କିନ୍ତୁ ପରବତ୍ର୍ତ୍ତୀ ଅବସ୍ଥାରେ ମୋ ସ୍ଵାମୀଙ୍କର ହସ୍ତଲିଖ ଆତ୍ମହତ୍ୟାର କାରଣ ସମ୍ପର୍କିତ ଏକ ନୋଟ୍ ମିଳିବା ପରେ ପୋଲିସ୍ (ଗୋଳନ୍ତରା)କୁ ଜଣାଇଲେ ମଧ୍ୟ ସମ୍ପୃକ୍ତ ପୋଲିସ୍ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ଏବଂ ଉକ୍ତ ଆତ୍ମହତ୍ୟା ନୋଟକୁ ଜବତ କଲେ ନାହିଁ । ମୋର ସ୍ୱାମୀଙ୍କ ମୃତ୍ୟୁ ପାଇଁ ଚିକିଟି ଅତିରିକ୍ତ ତହସିଲଦାର ଶ୍ରୀମତୀ ଶାଶ୍ୱତୀ ଷଡଙ୍ଗୀ (ଏଟିଓ ) ସଂପୂର୍ଣ୍ଣ ରୂପେ ଦାୟୀ ଅଟନ୍ତି ଏବଂ ମୋର ସ୍ୱାମୀଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିବାରୁ ତାଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ତୁରନ୍ତ ଗିରଫ କରି ମୋତେ ଉଚିତ୍ ନ୍ୟାୟ ଦେବେ ବୋଲି ମୋର ବିନୀତ ଅନୁରୋଧ । ପ୍ରକାଶଥାଉ କି, ଗୋଳନ୍ଥରା ପୋଲିସ୍ ଚାପର ବଶବର୍ତ୍ତୀ ହୋଇ ସମ୍ପୃକ୍ତ ମହିଳା (ଏଟିଓ )ଙ୍କ ବିରୋଧରେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏହି ଘଟଣା ସମ୍ପର୍କରେ ଆମେ ଗଞ୍ଜାମ ଜିଲ୍ଲାପାଳଙ୍କୁ ମୋ ପରିବାରର ସଦସ୍ୟମାନଙ୍କୁ ନେଇ ଦେଖାକରି ଜଣେଇଲୁ । ତାପରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିରେ ଭୁବନେଶ୍ୱର ଯାଇ ଜଣେଇଲୁ କିନ୍ତୁ କୌଣସି ସୁଫଳ ଆମକୁ ମିଳିପାରିନାହିଁ । ତେଣୁ ଆପଣମାନଙ୍କର ମାଧ୍ୟମରେ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରୁଅଛୁ ଯେ, ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ । ନହେଲେ ଆମେ ଗ୍ରାମବାସୀଙ୍କୁ ନେଇ ଆନ୍ଦୋଳନ କରିବୁ ବୋଲି ପରିବାର ଲୋକେ ସୂଚନା ଦେଇଥିଲେ ।